Advertisement

ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍‌ ହାରିସ ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ୪୦ ବର୍ଷୀୟ ହାରିସ ୟୁଏଇରେ ଅବସ୍ଥିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସହ ସେଠାରେ ଯୋଗଦେବେ ବୋଲି ଜଣାପଡ଼ିଛି। ହାରିସ ନିଜ ଦେଶର ଜେମ୍ସ ହୋପ୍ସଙ୍କ ସ୍ଥାନରେ ଏହି ଦାୟିତ୍ୱ ସମ୍ଭାଳିବେ। ହୋପ୍ସ ଗତ ୨ ବର୍ଷ ଧରି ଦିଲ୍ଲୀର ବୋଲିଂ କୋଚ୍‌ ରହିଥିଲେ। କିନ୍ତୁ ଚଳିତ ସିଜନରେ ବ୍ୟକ୍ତିଗତ କାରଣ ଲାଗି ସେ ଦଳ ସହିତ ଯୋଗ ଦେଇପାରିବେନି। ଏହି କାରଣରୁ ହାରିସଙ୍କୁ ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି। ଜଣେ ଡାହାଣହାତୀ ସୁଇଂ ବୋଲର ଭାବେ ପରିଚିତ ଲାଭ କରିଥିବା ହାରିସ ଅଷ୍ଟ୍ରେଲିଆ ପକ୍ଷରୁ ୨୦୦୯ରୁ ୨୦୧୫ ମଧ୍ୟରେ ୨୭ ଟେଷ୍ଟ ଓ ୨୧ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୧୧୩ ଓ ୪୪ ଉଇକେଟ୍‌ ନେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ କୋଚିଂ ଷ୍ଟାଫ୍‌ ଦଳରେ ପୂର୍ବରୁ ରିକି ପଣ୍ଟିଂ (ମୁଖ୍ୟ କୋଚ୍‌), ମହମ୍ମଦ କୈଫ୍‌ (ସହାୟକ କୋଚ୍‌), ସାମୁଏଲ୍‌ ବଦ୍ରି (ସ୍ପିନ ବୋଲିଂ କୋଚ୍‌), ବିଜୟ ଦାହିୟା ପ୍ରମୁଖ ସାମିଲ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel