Categories: ଖେଳ

ତୃତୀୟ ରାଉଣ୍ଡରେ ରିବାକିନା, ସ୍ବିଟେକ୍‌

ପ୍ୟାରିସ୍‌, ୨ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ଦ୍ୱିତୀୟ ରାଉଣ୍ଡରେ ସିଡେଡ୍‌ ଖେଳାଳିଙ୍କ ସହଜ ବିଜୟ। ମହିଳା ସିଙ୍ଗଲ୍ସ ବର୍ଗରେ ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍‌, ଏଲିନା ରିବାକିନା, ଏକାଟେରିନା ଆଲେକଜାଣ୍ଡ୍ରୋଭା ବିଜୟ ହାସଲ କରିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ କାସ୍ପର ରୁଡ୍‌, ବୋର୍ନା କୋରିକ୍‌, ୟୋଶିହିତୋ ନିଶିଓକା ଏବଂ ଗ୍ରିଗୋରୀ ଦିମିତ୍ରୋଭଙ୍କ ପରି ଖେଳାଳି ବିଜୟ ହାସଲ କରିଛନ୍ତି।
ମହିଳା ବର୍ଗରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଇଗା ସ୍ବିଟେକ୍‌ ୬-୪ ଓ ୬-୦ରେ ଆମେରିକାର କ୍ଲେୟାର ଲିଉଙ୍କୁ ପରାସ୍ତ କରିଛନ୍ତି। ଫିଲିପ୍‌ ଚାଟ୍ରିୟରରେ ଖେଳା ଯାଇଥିବା ମ୍ୟାଚରେ ସ୍ବିଟେକ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଏଲିନା ରିବାକିନା ମଧ୍ୟ ସହଜ ବିଜୟ ହାସଲ କରିଛନ୍ତି। ଚେକ୍‌ ରିପବ୍ଲିକ୍‌ର ଲିଣ୍ଡା ନୋସକୋଭାଙ୍କୁ ୬-୩, ୬-୩ ସେଟରେ ସେ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚରେ ବିଶ୍ୱ ମାନ୍ୟତାର ୨୩ ନମ୍ବର ଖେଳାଳି ଏକାଟେରିନା ଆଲେକଜାଣ୍ଡ୍ରୋଭା ୬-୨ ଓ ୬-୦ ସେଟରେ ଆନ୍ନା ଲିନା ଫ୍ରିଏଦସାନଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୨୨ ନମ୍ବର ଖେଳାଳି ଡୋନ୍ନା ଭେକିକ୍‌ଙ୍କୁ ୩-୬, ୬-୪ ଓ ୬-୩ ସେଟରେ ପରାସ୍ତ କରିଛନ୍ତି ଆମେରିକାର ବର୍ନାର୍ଡା ପେରା। ୧୪ ନମ୍ବର ସିଡ୍‌ ବ୍ରାଜିଲର ବିଟ୍ରିଜ୍‌ ହଦ୍ଦାଦ ମାଇଆ ୨-୬, ୭-୫ ଓ ୪-୬ ସେଟରେ ଡାଏନା ସ୍ନାଇଡରଙ୍କୁ ପରାସ୍ତ କରିଛନ୍ତି। ଆମେରିକାର ଅଣସିଡେଡ୍‌ ଖେଳାଳି କାଏଲା ଡେ ୨୦ ନମ୍ବର ସ୍ଥାନରେ ଥିବା ମାଡିସନ୍‌ କିସ୍‌ଙ୍କୁ ୬-୨, ୪-୬ ଓ ୬-୪ ସେଟରେ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ବର୍ଗରେ ୪ ନମ୍ବର ସିଡ୍‌ କାସ୍ପର ରୁଡ୍‌ ୩-୬, ୨-୬, ୬-୪ ଓ ୫-୭ରେ ଇଟାଲୀର ଗୁଇଲୋ ଜେପ୍ପିଏରିଙ୍କୁ ପରାସ୍ତ କରିଥିଲେ। ୨୭ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ୟୋଶିହିତୋ ନିଶିଓକା ୪-୬, ୬-୨, ୭-୫ ଓ ୬-୪ ସେଟ୍‌ରେ ମ୍ୟାକ୍ସ ପର୍ସେଲ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗେଲ୍‌ ମନଫିଲ୍ସ ଆହତ ହୋଇ ଓହରି ଯିବା କାରଣରୁ ଷଷ୍ଠ ସିଡ୍‌ ହୋଲଗର ରୁନଙ୍କୁ ଓ୍ବାକଓଭର ମିଳିଥିଲା। ୨୮ ନମ୍ବର ସିଡ୍‌ ଗ୍ରିଗୋରୀ ଦିମିତ୍ରୋଭ୍‌ ୭-୬(୭-୪), ୬-୩ ଓ ୬-୪ ର ସିଧାସଳଖ ସେଟ୍‌ରେ ଗ୍ରୀସର ଏମିଲି ରୁସୁଭୁଓରିଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୧୫ ନମ୍ବର ସ୍ଥାନରେ ଥିବା ବୋର୍ନା କୋରିକ୍‌ ୬-୩, ୪-୬, ୪-୬, ୬-୩ ଓ ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ପେଡ୍ରୋ କାଚିନ୍‌ଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ଏକ ବଡ ବିପର୍ଯ୍ୟୟ ସହିତ ପରାସ୍ତ ହୋଇଛନ୍ତି ଇଟାଲୀର ଜାନିକ୍‌ ସିନ୍ନର। ଜର୍ମାନୀର ଡାନିଏଲ ଅଲ୍ଟମାୟେରଙ୍କ ନିକଟରୁ ସେ ୭-୬(୭-୦),୬-୭(୭-୯), ୬-୧, ୬-୭(୪-୭) ଓ ୫-୭ ସେଟରେ ପରାସ୍ତ ହୋଇଥିଲେ। ୫ ସେଟ୍‌ ବିଶିଷ୍ଟ ମ୍ୟାଚ୍‌ର ୪ଟି ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା।

Share