Categories: ଜାତୀୟ

ମୋଦି ୩.୦ରେ ଶପଥ ନେବା ମାତ୍ରେ ବଡ଼ ରେକର୍ଡ କଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୧।୬: ଶପଥ ଗ୍ରହଣ କରିବା ମାତ୍ରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆକ୍ସନ ମୋଡରେ ଅଛନ୍ତି। ସୋମବାରଠାରୁ ମନ୍ତ୍ରଣାଳୟରେ ପହଞ୍ଚି ସେ କାମ ଆରମ୍ଭ କରିଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପୁଣିଥରେ ଜୟଶଙ୍କରଙ୍କୁ ଦିଆଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ନେତା ଅଟନ୍ତି। ସ୍ବାଧୀନତା ପରେ କୌଣସି ବୈଦେଶିକ ମନ୍ତ୍ରୀ ଗୋଟିଏ କାର୍ଯ୍ୟକାଳ ପୂରଣ କରିବା ପରେ ଏହି ପଦରେ ପୁନଃ ନିଯୁକ୍ତ ହୋଇନାହାଁନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ମଧ୍ୟ ଲଗାତାର ୧୬ ବର୍ଷ ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଥିଲେ। ଏହା ସହିତ ସେ ପ୍ରଧାନମନ୍ତ୍ରୀ ପଦରେ ମଧ୍ୟ ଥିଲେ। ତେବେ ଜୟଶଙ୍କର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବା ପରେ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ ସେପ୍ଟେମ୍ବର ୧୯୪୬ରୁ ମେ ୧୯୬୪ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରିଚାଳନା କରିଥିଲେ। ଅତୀତରେ ଅନେକ ନେତା ଅଛନ୍ତି ଯେଉଁମାନେ ବୈଦେଶିକ ମନ୍ତ୍ରୀ ଭାବରେ ଏକାଧିକ ଥର କାର୍ଯ୍ୟ କରିଥିଲେ, କିନ୍ତୁ ସେମାନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ଥିଲା।

Share