Categories: ଜାତୀୟ

ଆଜି ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ଏସ ଜୟଶଙ୍କର

ଗାନ୍ଧିନଗର,୧୦।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁଜରାଟର ରାଜ୍ୟ ସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର ୧୦ ଜୁଲାଇରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ସେ ସେଠାରେ ପହଞ୍ଚିଛନ୍ତି। ଭାରତୀୟ ଜନତା ପାର୍ଟି୯ଭାଜପା)ର ଜଣେ ପଦାଧିକାରୀ ଏହି ସୂଚନା ଦେଇଛନ୍ତି।

ରବିବାର ଭାଜପାର ଗୁଜରାଟ ୟୁନିଟ ସାଧାରଣ ସମ୍ପାଦକ ପ୍ରଦୀପ ସିଂ ବାଘେଲା କହିଛନ୍ତି ଯେ ଜୟଶଙ୍କର ସୋମବାର ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ତାଙ୍କର କାର୍ଯ୍ୟକାଳ ଏବଂ ଗୁଜରାଟର ଆଉ ଦୁଇଜଣ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଅଗଷ୍ଟ୧୮ରେ ଶେଷ ହେଉଛି।
ଏହାକୁ ନେଇ ଏସ ଜୟଶଙ୍କର ରବିବାର ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚି ସେଠାରେ ଗୁଜରାଟ ମନ୍ତ୍ରୀ ରାଘବଜୀ ପଟେଲ ଏବଂ ଅହମ୍ମଦାବାଦ ମେୟର କିରିଟ ପରମାରଙ୍କ ସମେତ ବହୁ ଭାଜପା ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। ଗୁଜରାଟର ତିନିଟି ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଭାଜପା ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ, ଯେଉଁଥିପାଇଁ ଜୁଲାଇ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ।
କୁହାଯାଉଛି ଯେ ଏଠାରୁ ବର୍ହିବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ନାମାଙ୍କନ ନିଶ୍ଚିତ। ଏହାପୂର୍ବରୁ କଂଗ୍ରେସ ଶୁକ୍ରବାର ଜୁଲାଇ ୭ରେ କହିଛି ଯେ ଗୁଜରାଟରୁ ତିନିଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ। ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାରେ କଂଗ୍ରେସର ପର୍ଯ୍ୟାପ୍ତ ବିଧାୟକ ନାହାଁନ୍ତି।

Share