ଫେରୁଛନ୍ତି କରିନା

ମୁମ୍ବାଇ: ବଲିଉଡ କୁଇନ୍ କରିନା କପୁର ଖାଁ ପୁଣିଥରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦ୍ୱିତୀୟ ସନ୍ତାନର ଜନନୀ ହେବା ପରେ ସେ କିଛିଦିନ ପାଇଁ ବଡ ପରଦାଠାରୁ ଦୂରରେ ଥିଲେ । ଏବେ କିନ୍ତୁ ସେ ପୁଣିଥରେ ଫେରିବାକୁ ପ୍ରସ୍ତୁତ ହୋଇ ସାରିଲେଣି । ଏବେ କରିନାଙ୍କୁ ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଆଗାମୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଏହା ଏକ କ୍ରାଇମ ମିଷ୍ଟ୍ରି ମୁଭି ବୋଲି କୁହାଯାଉଛି । ଏହି ଫିଲ୍ମ ଜରିଆରେ କରିନା ବେଶ୍ ଲମ୍ବା ସମୟର ବିରତି ପରେ ବଡ ପରଦାକୁ ଫେରୁଛନ୍ତି । କୁହାଯାଉଛି କି ଏହି ମୁଭିକୁ ନେଇ ବହୁ ବର୍ଷ ହେଲାଣି ଯୋଜନା ଚାଲିଛି । ହେଲେ ଏବେ ସୁଜୟ ଏହାକୁ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏଥିରେ କରିନା ମୁଖ୍ୟ ଭୂମିକାରେ ନଜର ଆସିବେ । ସୁଜୟ ଘୋଷ ନଭେଲ ‘ ଡିଭୋଶନ ଅଫ୍ ସସପେକ୍ଟ ଏକ୍ସ’କୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।
ଫିଲ୍ମର କାହାଣୀ ଏକ ଏକେଲା ମହିଳାଙ୍କ ଜୀବନ ଉପରେ ଆଧାରିତ । ସେ ଜଣେ ମା’ ବି । ତାଙ୍କ ପତିଙ୍କୁ ହତ୍ୟା କରିଥିବାର ଅଭିଯୋଗ ତାଙ୍କ ନାଁରେ ରହିଛି । ଏଥିରେ କରିନାଙ୍କ ଲୁକ୍ ସବୁଠାରୁ ଅଲଗା ହେବ, ଯେଉଁଥିପାଇଁ ସେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।
ସୂଚନାଯୋଗ୍ୟ, କରିନା କପୁର ଆମିର ଖାଁଙ୍କ ମୁଭି ‘ଲାଲ ସିଂ ଚଢା’ରେ ନଜର ଆସିବେ । ବହୁ ପୂର୍ବରୁ ସେ ଏହାର ଶୁଟିଂ ସାରିଛନ୍ତି । ଫେବୃୟାରୀ ୧୪ରେ ଏହା ରିଲିଜ ହେବାକୁ ଥିବା ବେଳେ ଏବେ କିନ୍ତୁ ଏହାର ତାରିଖ ବଦଳି ଯାଇ ଏପ୍ରିଲ ୧୪ ହୋଇ ଯାଇଛି । ପ୍ରାୟ ୨ ବର୍ଷ ହେବ ଦର୍ଶକେ ଆମିର ଖାଁଙ୍କ ଏହି ମୋଷ୍ଟ ଆୱେଟେଡ ଫିଲ୍ମ ଅପେକ୍ଷାରେ ରହିଛନ୍ତି ।

Share