Categories: ଖେଳ

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆରେ ଚୟନ ହୋଇଥିବା ଖେଳାଳି ଆଇପିଏଲ୍‌ରେ ବ୍ୟସ୍ତ ଥିବାରୁ ସମସ୍ତେ ଫିଟ୍‌ ରୁହନ୍ତୁ ବୋଲି ପ୍ରଶଂସକ ଆଶା କରୁଛନ୍ତି। ହେଲେ ଏବେ ଦଳ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ତାହା ହେଲା ଦଳର ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି।

ଜସପ୍ରିତ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟାର ପୁରୁଣା ଇତିହାସ ରହିଛି। ବୁମ୍‌ରା ଆହତ ହୋଇଥିବା ଯୋଗୁ ଟି୨୦ ବିଶ୍ୱକପ୍‌ ୨୦୨୨ ଖେଳିପାରି ନ ଥିଲେ। ଏହାର ୧ ବର୍ଷ ପରେ ସେ ଦଳକୁ ଫେରିଥିଲେ। ସେହିଭଳି ୨୦୨୩ ଦିନିକିଆ ବିଶ୍ୱକପ୍‌ ବେଳେ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିଲେ। ଏହାପୂର୍ବରୁ ବି ସେ ଆହତ ହୋଇଛନ୍ତି। ଏଣୁ ଉଭୟ ଖେଳାଳି ଏଥର ଅନ୍‌ଫିଟ୍‌ ନ ହୁଅନ୍ତୁ ବୋଲି ଦଳ ଚିନ୍ତାରେ ରହିଥାଏ। ହେଲେ ଏବେ ଅଧିନାୟକ ରୋହିତ ଶର୍ମା ଫିଟ୍‌ନେସ୍‌କୁ ନେଇ ଦଳର ଚିନ୍ତା ବଢ଼ାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ପିୟୁଷ ଚାଓ୍ବଲା କୋଲକାତା ବିପକ୍ଷ ମ୍ୟାଚ୍‌ ପରେ ରୋହିତଙ୍କ ପିଠିରେ ହାଲୁକା ଯନ୍ତ୍ରଣା ହେଉଥିବା କହିଛନ୍ତି।

ରୋହିତ ମ୍ୟାଚ୍‌ର ପ୍ରଥମ ଇନିଂସରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ। ସେବେଠାରୁ କିଛି ସମସ୍ୟା ଥିବା ଅନୁମାନ କରାଯାଉଥିଲା। ମ୍ୟାଚ୍‌ ଶେଷ ହେବା ପରେ ପିୟୁଷ ତାଙ୍କ ଅଣ୍ଟାରେ ଆଘାତ ଥିବା କହିଥିଲେ। ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅଳ୍ପ ଯନ୍ତ୍ରଣା ହେଉଥିବା ଯୋଗୁ ତାଙ୍କୁ ଦଳ ଇମ୍ପ୍ୟାକ୍ଟ ଖେଳାଳି ଭାବେ ଦଳ ମଇଦାନକୁ ଛାଡ଼ିଥିବା ପିୟୁଷ କହିଛନ୍ତି।

Share