ନୂଆଦିଲ୍ଲୀ,୧୨।୧: ଭାରତୀୟ ଏରୋସ୍ପେସ୍ ଇଞ୍ଜିନିୟର ଓ ରକେଟ ସାଇଣ୍ଟିଷ୍ଟ ଡ. ଏସ୍ ସୋମନାଥଙ୍କୁ ଭାରତୀୟ ମହାକାଶ ରିସର୍ଚ୍ଚ ସଂଗଠନ (ଇସ୍ରୋ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ୩ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ସେ କେ. ଶିବନଙ୍କ ସ୍ଥାନ ନେବେ। ବର୍ତ୍ତମାନ ଇସ୍ରୋର ମୁଖ୍ୟ ଥିବା କେ ଶିବନଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହେବାକୁ ଯାଉଛି।
ଏସ୍ ସୋମନାଥ ହେଉଛନ୍ତି ଲଞ୍ଚ ଯାନର ଡିଜାଇନ ପ୍ରସ୍ତୁତ କରିବାରେ ବିଶେଷଜ୍ଞ। ଲଞ୍ଚ ଯାନର ସିଷ୍ଟମ ଇଞ୍ଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଏହାର ଯାନ୍ତ୍ରିକ ଡିଜାଇନରେ ସେ ସିଦ୍ଧହସ୍ତ।
୧୯୬୩ରେ ଜନ୍ମିତ ସୋମନାଥ କେରଳ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକତା ହାସଲ କରିଥିଲେ। ଏହାପରେ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ (ଆଇଆଇଏସ୍ସି)ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଜିରେ ହାସଲ କରିଥିଲେ ସ୍ବର୍ଣ୍ଣ ପଦକ।