Categories: ବାଣିଜ୍ୟ

ଆଜିଠାରୁ ଜୀ ସାର୍ଥକରେ ‘ସା ରେ ଗା ମା ପା’

ଭୁବନେଶ୍ୱର,୨୦।୮: ରାଜ୍ୟରେ ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲ ‘ଜୀ ସାର୍ଥକ’ରେ ଆଜିଠାରୁ (ଶନିବାର) ସଙ୍ଗୀତଭିତ୍ତିକ ରିୟାଲିଟି ଶୋ ‘ସା ରେ ଗା ମା ପା-ସ୍ବରର ମହାମଞ୍ଚ’ ଆରମ୍ଭ ହେବାକୁ ଯାଉଛି। ନିକଟରେ ଉକ୍ତ ଶୋ’ର ସମସ୍ତ ଅଡିସନ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଅଗଷ୍ଟ ୨୦ରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯିବ। ଏହି ଶୋ’ରେ ଜଜ୍‌ ଭାବେ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଦୀପ୍ତିରେଖା ପାଢ଼ୀ ରହିଥିବା ବେଳେ କଣ୍ଠଶିଳ୍ପୀ ଇରା ମହାନ୍ତି ମହାଗୁରୁ ଭାବେ ରହିଛନ୍ତି। ବିଶେଷକରି ପ୍ରଥମ ଥର ପାଇଁ ଇରା ମହାନ୍ତି ମ୍ୟୁଜିକ ରିଆଲିଟି ଶୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବେ। ଏପରିକି ଜୀ ସାର୍ଥକରେ ପ୍ରସାରିତ ହେଉଥିବା ମ୍ୟୁଜିକ ରିଆଲିଟି ଶୋ ‘ସା ରେ ଗା ମା ପା’ରୁ ସଫଳତା ପାଇ ଅନେକ କଣ୍ଠଶିଳ୍ପୀ ଏବେ ଓଡ଼ିଆ ସଂଗୀତ ଦୁନିଆରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହି ମେଗା ଶୋ ଅନେକ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନକୁ ଆଣିବା ସହ ପ୍ରସିଦ୍ଧ ମଧ୍ୟ କରାଇଛି। ସ୍ବର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢିବାକୁ ଚାହୁଁଥିବା କଳାକାରମାନଙ୍କ ପାଇଁ ଏହି ଶୋ ଏକ ବଡ ସୁଯୋଗ ପ୍ରଦାନ କରିଥାଏ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଚଳିତ ସିଜନରେ ଅଡିସନ ରାଉଣ୍ଡରୁ ହଜାର ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ବଛାହୋଇ ଓଡ଼ିଶାର ବିଭିନ୍ନ ସହରରୁ ଆସିଛନ୍ତି କିଛି ଭିନ୍ନ ଧରଣର କଣ୍ଠଶିଳ୍ପୀ, ଯେଉଁମାନେ ଏଥର ‘ସା ରେ ଗା ମା ପା’ ମଞ୍ଚରେ ସେମାନଙ୍କ ପ୍ରତିଭା ଦେଖାଇବେ। ଗତ ସିଜନ ତୁଳନାରେ ଚଳିତ ଥର ‘ସା ରେ ଗା ମା ପା-ସ୍ବରର ମହାମଞ୍ଚ’ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦର୍ଶକ ଆଗ୍ରହର ସହକାରେ ଅପେକ୍ଷା କରିଛନ୍ତି।

Share