Categories: ଖେଳ

IND vs SA 1st: ଏଲ୍‌ଗାରଙ୍କ ଶତକରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ

ସେଞ୍ଚୁରିୟନ୍‌,୨୭ା୧୨: ଡିନ୍‌ ଏଲଗାରଙ୍କ ଶତକ ବଳରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ଼ ସ୍ଥିତିରେ ଦକ୍ଷିଣ ଆଫ୍ରିକା। ଭାରତର ପ୍ରଥମ ଇନିଂସ ସ୍କୋର ୨୪୫ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ୍ସ ସୁଦ୍ଧା ୫ ଉଇକେଟ ୨୫୬ ରନ୍‌ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ବେଳେ ଦକ୍ଷିଣ ଆଫ୍ରିକା ୯ ରନ୍‌ରେ ଆଗୁଆ ରହିଛି।

ପ୍ରଥମ ଦିନର ଅସମାପ୍ତ ସ୍କୋର ୨୦୮/୮ରୁ ଖେଳ ଆରମ୍ଭ କରି ଭାରତ ଆଉ ୩୭ ରନ୍‌ ଯୋଡି ୨ ଉଇକେଟ ହରାଇଥିଲା। ପୂର୍ବଦିନ ୭୦ ରନ୍‌ରେ ଅପରାଜିତ ଥିବା ଲୋକେଶ ରାହୁଲ ଆଉ ୩୧ ରନ ଯୋଡିବା ସହ ଟେଷ୍ଟ କ୍ରିକେଟରେ ଅଷ୍ଟମ ଶତକ ପୂରଣ କରିଥିଲେ। ୧୩୭ ବଲ୍‌ ଖେଳି ସେ ୧୪ ଚୌକା ଓ ୪ ଛକା ମାରିଥିଲେ। ସିରାଜ (୫)ଙ୍କ ସହ ନବମ ଉଇକେଟରେ ୪୭ ରନ୍‌ ଯୋଡିଥିଲେ ରାହୁଲ। ଅନ୍ୟ ମାନଙ୍କ ମଧ୍ୟରେ ବିରାଟ କୋହଲି ୩୮, ଶ୍ରେୟସ୍‌ ଆୟର ୩୧ ଓ ଶାର୍ଦ୍ଦୂଳ ଠାକୁର ୨୪ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୫ ଉଇକେଟ ନେଇଥିବା ବେଳେ ନାନ୍ଦ୍ରେ ବର୍ଜର ୩, ମାର୍କୋ ଜାନସେନ୍‌ ଓ ଜେରାଲ୍ଡ କୋଜି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ କରିବା ସହିତ ଚତୁର୍ଥ ଓଭରରେ ଓପନର ଏଡେନ୍‌ ମାରକ୍ରମ(୫)ଙ୍କ ଉଇକେଟ ହରାଇଥିଲା। ଓପନର ଡିନ୍‌ ଏଲଗାର କିନ୍ତୁ ଚମତ୍କାର ବ୍ୟାଟିଂ କରି ୧୪୦ ରନ୍‌ରେ ଅପରାଜିତ ଅଛନ୍ତି। ଟୋନି ଡି ଜୋର୍ଜି(୨୮)ଙ୍କ ସହ ଏଲଗାର ୯୩ ରନ୍‌ ଯୋଡିଥିଲେ। ମାତ୍ର ଦୁଇ ଓଭର ମଧ୍ୟରେ ଡି ଜୋର୍ଜି ଓ କିଗାନ ପିଟରସନ୍‌(୨)ଙ୍କୁ ଆଉଟ କରିଥିଲେ ଯଶପ୍ରୀତ ବୁମରା। ତେବେ ପଦାର୍ପଣକାରୀ ଡେଭିଡ୍‌ ବେଣ୍ଡିଙ୍ଗହାମ(୫୬)ଙ୍କୁ ସାଥୀ କରି ଏଲଗାର ୧୩୧ ରନ୍‌ ଯୋଡିଥିଲେ। ଏଲ୍‌ଗାର ୧୬୮ ବଲ୍‌ ଖେଳି ୨୧ ଚୌକା ସହିତ ୧୧୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଚା ପାନ ବିରତି ପରେ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଟେଲ ଏଣ୍ଡରଙ୍କୁ ଶୀଘ୍ର ଆଉଟ କରିବାକୁ ଭାରତ ପ୍ରୟାସ କରିବ।

Share