Categories: ଖେଳ

ସାତ୍ତ୍ୱିକ-ଚିରାଗଙ୍କୁ ଐତିହାସିକ ଡବଲ୍ସ ଟାଇଟଲ

ଜାକର୍ତ୍ତା, ୧୯ା୬ (ପି.ଟି.): ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଇଣ୍ଡୋନେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସୁପର ୧୦୦୦ ଇଭେଣ୍ଟ ଜିତିବାରେ ସେମାନେ ଦେଶର ପ୍ରଥମ ଯୋଡ଼ି ହେବାର ଗୌରବ ଅର୍ଜନ କରିଛନ୍ତି। ଭାରତୀୟ ଯୋଡ଼ି ଫାଇନାଲରେ ବିଶ୍ୱଚାମ୍ପିୟନ ତଥା ସଂଘର୍ଷପୂର୍ଣ୍ଣ ଫାଇନାଲରେ ମାଲେସିଆର ଆରୋନ ଚିଆ ଓ ସେ ଉଇ ଇକ୍‌ଙ୍କୁ ୨୧-୧୭, ୨୧-୧୮ରେ ହରାଇ ଦେଇଛନ୍ତି। ମ୍ୟାଚଟି ୪୩ ମିନିଟ୍‌ ଧରି ଚାଲିଥିଲା। ସୂଚନାଯୋଗ୍ୟ, ବିଶ୍ୱର ୬ ନମ୍ବର ମାନ୍ୟତାପ୍ରାପ୍ତ ସାତ୍ତ୍ୱିକ-ଚିରାଗ ଯୋଡ଼ି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ଗତବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ଜିତିଥିଲେ। ଜାକର୍ତ୍ତାରେ ପୂର୍ବରୁ ସାଇନା ନେହ୍ବାଲ (୨୦୧୦, ୨୦୧୨) ଓ କିଡାମ୍ବି ଶ୍ରୀକାନ୍ତ (୨୦୧୭) ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଏସିଆନ ଚାମ୍ପିୟନ ମଧ୍ୟ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନଙ୍କୁ ହରାଇବା ଲାଗି ସେମାନେ ଏକ ଘଣ୍ଟାରୁ କମ ସମୟ ନେଇଥିଲେ। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ଫାଇନାଲରେ ଚାଇନାର ୟୁ ଫେଇ ୨୧-୧୮, ୨୧-୧୯ରେ ସ୍ପେନର କାରୋଲିନା ମାରିନ୍‌ଙ୍କୁ ହରାଇ ଟାଇଟଲ ଜିତିଛନ୍ତି।

Share