ସବାଇଘାସର ରାଖୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ ‘ରାଖୀ ପୂର୍ଣ୍ଣିମା’। ଏଥିପାଇଁ ରାଖୀ ବଜାରରେ ଭିଡ଼ ଲାଗିବା କଥା। କିନ୍ତୁ କରୋନା ମହାମାରୀ ଯୋଗୁ ଏଥର ରାଖୀ ଦୋକାନ ଖୋଲିପାରିନାହିଁ। ତେଣୁ ପ୍ରତିବର୍ଷ ବଜାରକୁ ଆସୁଥିବା ଚାଇନା ରାଖୀ ପରିବର୍ତ୍ତେ ସ୍ବଦେଶୀ ରାଖୀ ପାଇଁ ଏଥର ସମସ୍ତେ ମନ ବଳାଉଛନ୍ତି। କିଏ ଘରେ ବସି ନିଜ ଭାଇ ପାଇଁ ରାଖୀ ତିଆରି କରୁଛି ତ ଆଉ କିଏ ରାଖୀ ତିଆରି କରି ଇ-କମର୍ସରେ ବିକୁଛି। ଏପରି ସ୍ଥିତିରେ ଓର୍‌ମାସ ଏକ ଅଭିନବ ପ୍ରୟାସ କରିଛି। ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ରାଖୀକୁ ଏହା ବଜାରରେ ବିକ୍ରି କରିବା ଆରମ୍ଭ କରିଛି। ଏଥିରେ ସବାଇ ଘାସରେ ତିଆରି ରାଖୀର ଚାହିଦା ବେଶ୍‌ ଅଧିକ ରହିଛି। ଚଳିତବର୍ଷ ପ୍ରଥମକରି ମାର୍କେଟରେ ବିକ୍ରି ହେଉଛି ‘ସବାଇ ଘାସ ରାଖୀ’। ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର ଜିଲାରୁ ଏହି ରାଖୀ ଆସୁଛି। ବିଶେଷକରି ସବାଇ ଘାସ, କାଇଁଚ ଓ ତୁଳାରୁ ଏହି ରାଖୀ ପ୍ରସ୍ତୁତ କରାଯାଉଛି। ସେହିପରି ଧାନ, ଚାଉଳ, ମୁଗ, ବିରିରେ ମଧ୍ୟ ରାଖୀ ପ୍ରସ୍ତୁତ ହୋଇ ବିକ୍ରି ଚାଲିଛି। ଏଥିରେ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଛି। ରାଖୀ ତିଆରିରେ ୩ଶହରୁ ଅଧିକ ମହିଳା ଲାଗିଛନ୍ତି।
ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ତ୍ରିଶକ୍ତି ମହିଳା ପରିଷଦକୁ ବିକ୍ରି ପାଇଁ ଏହି ଦାୟିତ୍ୱ ଦିଆଯାଇଛି। ଏହି ରାଖୀ ୧୫ରୁ ୩୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଦିନକୁ ପ୍ରାୟ ୨ରୁ ୩ଶହ ରାଖୀ ବିକାଯାଉଛି। ଏସ୍‌ଏଚ୍‌ଜି ମହିଳାଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟୀକରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମହିଳାଙ୍କୁ ଡିଜାଇନ୍‌ ଦିଆଯାଇ ବିଭିନ୍ନ ରାଖୀ ସହ ମାସ୍କ ମଧ୍ୟ ତିଆରି କରାଯାଉଛି। ଯଦ୍ୱାରା ଘରେ ବସି ମହିଳାମାନେ ରୋଜଗାର କରିପାରିବେ ବୋଲି ଓର୍‌ମାସ ଡେପୁଟି ସିଇଓ (ପ୍ରଦର୍ଶନୀ) ଜିତେନ୍ଦ୍ର ବାରିକ କହିଛନ୍ତି। ଲକ୍‌ଡାଉନରେ ସମସ୍ତେ ଘରେ ହାତ ବାନ୍ଧି ବସିଥିବାବେଳେ ଏହା ସମସ୍ତଙ୍କୁ ରୋଜଗାରର ବାଟ ଦେଖାଇଛି ବୋଲି ତ୍ରିଶକ୍ତି ମହିଳା ପରିଷଦର ସଦସ୍ୟା ରାଜଲକ୍ଷ୍ମୀ ଜଗଦେବରାୟ କହିଛନ୍ତି। ଲୋକଙ୍କ ଚାହିଦା ଅଧିକ ଥିବାରୁ ଆସନ୍ତା ବର୍ଷ ଅଧିକ ରାଖୀ ଆଣିବୁ। ଏଥର ରାଖୀ ବିକାରୁ ଲାଭାର୍ଥକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ୍‌ ଫଣ୍ଡ୍‌କୁ ଦିଆଯିବ ପାଇଁ ପରିଷଦ ନିଷ୍ପତ୍ତି ନେଇଥିବା ରାଜଲକ୍ଷ୍ମୀ କହିଛନ୍ତି। ଜଣେ ଗ୍ରାହକ ମନସ୍ବିନୀ ପତି କହିଛନ୍ତି, ବର୍ତ୍ତମାନ ରାଖୀ ଦୋକାନ ଖୋଲା ହୋଇନାହିଁ। ତେଣୁ ମୁଁ ଅନ୍‌ଲାଇନ୍‌ରେ ରାଖୀ ଅର୍ଡର କରିଥିଲି ଯାହାର ଦାମ୍‌ ବହୁ ଅଧିକ ଥିଲା। ତାହା ଏପର୍ଯ୍ୟନ୍ତ ପହଞ୍ଚତ୍ନାହିଁ। କିନ୍ତୁ ଏଠାରେ ରାଖୀ ମିଳୁଥିବା ଜାଣିବା ପରେ ବହୁତ ଖୁସି ଲାଗିଲା। କମ୍‌ ଦାମ୍‌ରେ ମନ ପସନ୍ଦର ରାଖୀ ପାଇପାରିଲି।

Share