ଶାବର ଶ୍ରୀକ୍ଷେତ୍ର ରୂପେ ପରିଚିତ କୋରାପୁଟ ରଥଯାତ୍ରାର ରହିଛି ବିଶେଷ ସ୍ବତନ୍ତ୍ରତା। ରଥଯାତ୍ରାରେ ବିଭିନ୍ନ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ। ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ପ୍ରଦାନ କରାଯାଇଥାଏ। ସେ ରଥରେ ଛେରାପହଁରା କରନ୍ତି। ରଥଯାତ୍ରାରେ ଯୋଗଦେବା ପାଇଁ କୋରାପୁଟ ଜିଲାର ସମସ୍ତ ଆଦିବାସୀ ଗ୍ରାମକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୁଆ ନିମନ୍ତ୍ରଣ ପଠାଯାଇଥାଏ।
ଶ୍ରୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ୧୦ ଅବତାର ବେଶ ହୋଇଥାଏ। ବାହୁଡା ଦିନ ବଡଦାଣ୍ଡ ଅଧାବାଟରେ ରଥ ରହିବା ପରେ ଶ୍ରୀଜୀଉଙ୍କୁ ଛେନାପୋଡ ଓ ପଣା ଭୋଗ ହେବାର ଏକ ଅନନ୍ୟ ପରମ୍ପରା ରହିଛି। କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପରିକଳ୍ପନା ୧୯୬୯ରେ ହୋଇଥିଲା। ପଞ୍ଚାୟତ ଭବନରେ ସେତେବେଳେ ହେଉଥିବା ଆଲୋଚନାଚକ୍ରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ ପାଇଥିଲା ବୋଲି କହନ୍ତି ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ. ଜଗବନ୍ଧୁ ସାମଲ। ୧୯୭୨ରେ କୋରାପୁଟ ସହରର ଏକ ପିଚୁଟିଣରେ ତିଆରି ଗମ୍ବୁଜାକୃତି ଗୃହରେ ପ୍ରତିଷ୍ଠିତ ମନ୍ଦିରରେ ମହାପ୍ରଭୁ ପୂଜା ପାଉଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ପ୍ରଚଳିତ ପରମ୍ପରା ଯାନିଯାତ୍ରା ଓ ରୀତିନୀତି ଏଠାରେ ପ୍ରଚଳିତ ହୋଇଆସୁଛି। ଶାବର ଶ୍ରକ୍ଷେତ୍ର ପ୍ରକଳ୍ପର ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ ୧୯୭୩ ଜୁଲାଇ ୧୧ରେ ତତ୍କାଳୀନ ଜିଲାପାଳ ଭାସ୍କର ଚନ୍ଦ୍ର ପଟ୍ଟନାୟକ ଭୂମିପୂଜା କରିଥିଲେ। ପରେ ସ୍ଥପତି ସତ୍ୟବାଦୀ ମହାରଣା ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ୧୯୭୮ ଜୁନ୍ରେ ମନ୍ଦିର ନିର୍ମାଣ ଶେଷ ହେବା ପରେ ପୁରୀ ଗଜପତି ଦିବ୍ୟସିଂହଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ନବନିର୍ମିତ ମନ୍ଦିରରେ ବିଜେ କରିଥିଲେ। ଚଳିତ ବର୍ଷ ହେଉଛି ରଥଯାତ୍ରାର ସୁବର୍ଣ୍ଣ ଜୟନ୍ତୀ।
-ଅମିତାଭ ବେହେରା, କୋରାପୁଟ