Categories: ଜାତୀୟ

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସାବରିମାଲା

ଥିରୁଭାନନ୍ତପୁରମ,୧୭।୭: କରୋନା କାଳରେ ଦୀର୍ଘ ଦିନ ପରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର। ପାରମ୍ପରିକ ମାସିକ ପୂଜା ପାଇଁ ଜୁଲାଇ ୧୭ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଅର୍ଥାତ୍‌ ୫ଦିନ ଲାଗି ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ଖୋଲାଯାଇଛି। ପ୍ରତିଦିନ ସର୍ବାଧିକ ୫ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ଓ କରୋନା ଟିକାର ୨ଟି ଡୋଜକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଭକ୍ତଙ୍କୁ ୪୮ଘଣ୍ଟାର ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍‌ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ତେବେ ଏଥିପାଇଁ ଅନ୍‌ଲାଇନ୍‌ ବୁକିଂ କରିବାକୁ ପଡ଼ିବ। ଏତଦ୍‌ ବ୍ୟତୀତ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କୁ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଲାଇ ୨୧ରେ ମାସିକ ପୂଜା ସରିବା ପରେ ପୁଣି ଥରେ ମନ୍ଦିରକୁ ବନ୍ଦ କରାଯିବ ବୋଲି ସୂଚନା ରହିଛି।

 

Share