ବେଙ୍ଗାଲୁରୁ,୨୯।୮: ଭାଜପା ନେତୃତ୍ୱାଧୀନ ସରକାର ଇତିହାସର ପୁନର୍ଲିଖନ ପ୍ରୟାସ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କର୍ନାଟକ ପାଠ୍ୟପୁସ୍ତକ ସଂଶୋଧନ କମିଟି ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଇତିହାସ ବହିରେ ବିନାୟକ ଦାମୋଦର ସାବରକରଙ୍କ ଉପରେ ଏକ ଅଧ୍ୟାୟ ସଂଯୋଗ କରିଛି। ସାବରକର ଆଣ୍ଡାମାନ ଜେଲରେ ବନ୍ଦୀ ଜୀବନ ବିତାଉଥିବାବେଳେ ସେ ଏକ ପକ୍ଷୀ ଡେଣାରେ ବସି ନିୟମିତ ନିଜ ଜନ୍ମଭୂମିକୁ ଭ୍ରମଣ କରିବାକୁ ଯାଉଥିଲେ ବୋଲି ସେଥିରେ ଲେଖାଅଛି।
ଏପରି କି ସାବରକର ରହିଥିବା ଜେଲ ପ୍ରକୋଷ୍ଠରେ ଛୋଟ ଛିଦ୍ରଟିଏ ମଧ୍ୟ ନ ଥିଲା। କିନ୍ତୁ ବୁଲ୍ବୁଲ୍ ପକ୍ଷୀଟି ନିୟମିତ ଉକ୍ତ ପ୍ରକୋଷ୍ଠକୁ ଯାଉଥିଲା ଓ ସଭରକରଙ୍କୁ ପିଠିରେ ବସାଇ ନେଇଯାଉଥିଲା ବୋଲି ନୂଆ ପାଠ୍ୟପୁସ୍ତକରେ ଉଲ୍ଲେଖ ରହିଛି। ଏଭଳି ଏକ ମନଗଢ଼ା ପ୍ରସଙ୍ଗକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସାବରକରଙ୍କ ଭୂମିକା ଭାଜପା ବିଚାରଧାରାର ପଥପ୍ରଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଏବଂ ଏହାର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ମଧ୍ୟରେ ଏକ ବଡ଼ ଆଦର୍ଶଗତ ଫ୍ଲାସ୍ପଏଣ୍ଟ ହୋଇ ରହିଆସିଛି।