Categories: ଜାତୀୟ

ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୮: ୨୦୦୨ରେ ଗୋଧ୍ରାସ୍ଥିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଜାମିନ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ତିନି ଦୋଷୀଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି ତିନିଜଣ ଦୋଷୀ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଘଟଣା ଏକ ଗୁରୁତର ଘଟଣା। ଏହା କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା ନୁହେଁ। ଦୋଷୀମାନଙ୍କ ଆବେଦନ ଶୁଣିବା ପାଇଁ ଏକ ବେଞ୍ଚ ସ୍ଥାପନ କରାଯିବ।
ଶୁଣାଣି ସମୟରେ ସିଜେଆଇ କହିଛନ୍ତି ଯେ, ଯେଉଁମାନଙ୍କ ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଛି ସେମାନଙ୍କୁ ଜାମିନ ମିଳିବ ନାହିଁ, ଯେଉଁମାନେ ଜଳୁଥିବା ଟ୍ରେନରେ ପେଟ୍ରୋଲ ଢାଳିବା ଭଳି ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ମଧ୍ୟ ଜାମିନ ମିଳିବ ନାହିଁ। ଏହି ତିନିଜଣଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ରହିଛି ଏବଂ ଏହି ମାମଲା ମଧ୍ୟ ଗୁରୁତର ଅଟେ। ଏହା ଜଣଙ୍କର ମୃତ୍ୟୁ ବିଷୟ ନୁହେଁ। ଗତ ଥର ସୁପ୍ରିମକୋର୍ଟ ୧୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ କ୍ୟାନସର କାରଣରୁ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ସୁପ୍ରିମକୋର୍ଟ ବଢାଇ ଦେଇଛନ୍ତି। ୨୦୦୨ ଗୋଧ୍ରା ସାବରମତି ଏକ୍ସପ୍ରେସ ଟ୍ରେନରେ ନିଆ ଲାଗି ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Share