ପାଠପଢ଼ା ବୟସରେ ମୂଲ ଲାଗୁଛନ୍ତି ସବିନା

ମୋହନା,୧୫ା୧୦(ମନ୍ମଥ ମିଶ୍ର)ଦେଶ ତଥା ରାଜ୍ୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରୁଥିବା ବେଳେ ଏବେ ବି ଦୁର୍ଗମ ଅଞ୍ଚଳରେ ଅନେକ କିଶୋରୀ ନାବାଳିକାମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି। ଯେଉଁମାନେ ଶିକ୍ଷା, ସ୍ବାସ୍ଥ୍ୟ ତଥା ସାମାଜିକ ସୁରକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଗଜପତି ଜିଲା ମୋହନା ବ୍ଲକ୍‌ ଦୁର୍ଗମ ବାଡେଗୁଡ଼ା ପଞ୍ଚାୟତ ଉପରପାଲ୍ଡା ଗାଁରେ ଏହିଭଳି ଘଟଣା ଦେଖିବାକୁ ମିଳିଛି।
ଜିଲା ମୋହନା ବ୍ଲକ ବାଡେଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳର ଉପରପାଲ୍ଡା ଗାଁର ନାବାଳିକା ସବିନା ମଲ୍ଲିକ। ଦି’ ମୁଠା ଖାଇବା ପାଇଁ ଏବେ ଜୀବନ ସହ ସଙ୍ଘର୍ଷ କରୁଛି। ବାପା ମତ ମଲ୍ଲିକ ୨୦୧୩ରେ ଓ ମା’ ୨୦୧୫ ରେ ଆରପାରିକି ଚାଲିଯିବା ପରେ ଦାଦା ପ୍ରମୋଦ ମଲ୍ଲିକ ସବିନାଙ୍କ ଲାଳନ ପାଳନ ସହ ସମସ୍ତ ଦାୟିତ୍ୱ ନେଇଥିଲେ। ସବିନା ଖଣି ଗାଁର ଆଶ୍ରମ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଗତବର୍ଷ ଅଧାରୁ ପାଠ ଛାଡ଼ି ଦେଇ ଏବେ ଘରକୁ ଚାଲି ଆସିଛି। ଘର ଚଳାଇବାର ବୋଝ ଏବେ ନିଜେ ମୁଣ୍ଡାଇଛି। ଦାଦା ଏବେ ଶାରୀରିକ ଅକ୍ଷମ ଥିବାରୁ ସବିନା ଲୋକଙ୍କ ବିଲ ପଦରରେ କୁଲି କାମ କରି ଯାହା ରୋଜଗାର ହୁଏ ସେତିକିରେ ସେ ଓ ଦାଦା ଦୁହେଁ ଚଳି ଯାଉଛନ୍ତି। ସରକାରୀ ସହାୟତା କହିଲେ ମାତ୍ର ୧୦ କେଜି ଚାଉଳ। ସେତିକିରେ ଚଳିବା କଷ୍ଟକର ହେଉଥିବା ବେଳେ ବଞ୍ଚତ୍ବା ପାଇଁ ସଙ୍ଘର୍ଷ କରୁଛନ୍ତି ସବିନା। ପଢ଼ିବା ଇଚ୍ଛା ଥିଲେ ମଧ୍ୟ ପରିସ୍ଥିତି ଆଗରେ ହାର ମାନିଛି। ଏ ନେଇ ଚାଇଲ୍ଡ ଲାଇନ୍‌ କର୍ମୀ ଅନିତା ନାୟକ କହିଛନ୍ତି, ତୁରନ୍ତ ଉଦ୍ଧାର କରି ସବିନା କିଭଳି ପାଠ ପଢ଼ିବାର ସୁଯୋଗ ପାଇବ, ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ସିଡିପିଓ ଲଳିତା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲା। ତଦନ୍ତ କରି ଶୀଘ୍ର ଉଦ୍ଧାର କରାଯିବା ସହ ପାଠପଢ଼ାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Share