ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି ତାହାର ପ୍ରମାଣ କରି ଦେଖାଇଛନ୍ତି ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଶଙ୍ଖପୋଷ ପଞ୍ଚାୟତ ଲମସୀ ଗ୍ରାମର ସବିତା ମହାନ୍ତ(୩୪)। ପରିବାର କହିଲେ ୨ ସନ୍ତାନ, ବୃଦ୍ଧ ଶ୍ୱଶୁର ଏବଂ ପିଉସୀ ଶାଶୁ। ସ୍ବାମୀ ଯୋଗେଶ୍ୱର ମହାନ୍ତ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ବର୍ଷେ ହେବ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି। ସ୍ବାମୀଙ୍କ ମୃତ୍ୟୁପରେ ସବିତାଙ୍କ ଉପରେ ଘର ଦାୟିତ୍ୱ ଅଜାଡି ହୋଇପଡ଼ିଥିଲା। ୪ ପ୍ରାଣୀଙ୍କୁ କିପରି ପୋଷିବେ ତାଙ୍କ ମୁଣ୍ଡରେ ଚଡ଼କ ପଡିଥିଲା। ଶେଷରେ ମନୋବଳ ଦୃଢ କରି ସ୍ବାମୀଙ୍କ ଅଟୋକୁ ଚଳାଇ ପେଟ ପୋଷିବାକୁ ମନସ୍ଥ କଲେ। ପ୍ରଥମେ ପ୍ରଥମେ ଚଳାଇବା ପାଇଁ ଅସୁବିଧା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଠିକ୍ ଠାକ୍ ହୋଇଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଶିଖି ଯିବାପରେ ସାପ୍ତାହିକ ହାଟକୁ ଲୋକଙ୍କୁ ନେବା ଆଣିବା କରିବା ସହିତ ଜିନିଷ ପତ୍ର ମଧ୍ୟ ନେବା ଆଣିବା କରୁଛନ୍ତି। ଦିନକୁ ପ୍ରାୟ ୪ରୁ୫ ଶହ ଟଙ୍କା ରୋଜଗାର ହୋଇଥାଏ। ଗାଡିର ତେଲ ଖର୍ଚ୍ଚ ଯାଇ ଯାହା ବଳେ ସେଥିରେ ୫ ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି। ପୁଅ ଝିଅକୁ କେମିତି ଉଚ୍ଚ ଶିକ୍ଷିତ କରାଇବେ ସେହି ଆଶା ନେଇ ଶିଶୁ ମନ୍ଦିରରେ ସେମାନଙ୍କୁ ପାଠ ପଢାଉଛନ୍ତି। ଝିଅ ଶିଖା ରାଣୀ ମହାନ୍ତ (୧୩) ୮ମ ଶ୍ରେଣୀରେ ପଢୁଥିବାବେଳେ ପୁଅ ସୁଜିତ (୯) ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍ବାମୀ ଯୋଗେଶ୍ୱର ଜୀବିତ ଥିବା ସମୟରେ ତାଙ୍କ ପିଉସୀଙ୍କୁ ଆଣି ଘରେ ରଖି ତାଙ୍କର ସୁବିଧା ଅସୁବିଧା ସବୁ ବୁଝୁଥିଲେ। କାରଣ ସେ ଜଣେ ଅନ୍ଧ ବୃଦ୍ଧା। ତାଙ୍କର ମଧ୍ୟ ନିଜର ବୋଲି କେହି ନାହାନ୍ତି। ଯୋଗେଶ୍ୱର ଆରପାରିକୁ ଚାଲିଗଲା ପରେ ସବିତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଥିଲେ ମଧ୍ୟ ସବିିତା କିନ୍ତୁ ପିିଉସୀ ଶାଶୁଙ୍କ ପ୍ରତି କେବେ ଅବହେଳା କରିନାହାନ୍ତି। ବିଡମ୍ବନାର ବିଷୟ ସବିତାଙ୍କ ସ୍ବାମୀ ଆରପାରିକୁ ଚାଲିଯାଇଥିଲେ ମଧ୍ୟ ନା ପାଇଛନ୍ତି ଘର ଖଣ୍ଡେ ନା ପାଇଛନ୍ତି ବିଧବା ଭତ୍ତା। ସବିତାଙ୍କୁ ଘର ଏବଂ ଭତ୍ତା ଶୀଘ୍ର ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରିବା ସହିତ ଯଦି ତାଙ୍କୁ ଆଉକିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ସେ ଆହୁରି ଆଗକୁ ବଢି ପାରନ୍ତେ ବୋଲି ଗ୍ରାମବାସୀ ମତ ରଖିଛନ୍ତି।