ଅର୍ଚ୍ଚିତାଙ୍କୁ ନିଜର କରିବା ପାଇଁ ବାହାରିଲେ ସବ୍ୟ: ମନ ଜିଣୁଛି ଗୋଲାପୀ ରଙ୍ଗ ପଗଡ଼ିକୁ ହସ, ସେପଟେ ଅପେକ୍ଷାରେ…

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଉ କେଇ ଘଣ୍ଟାର ଅପେକ୍ଷା। ସବୁଦିନ ପାଇଁ ପରସ୍ପରର ଜୀବନସାଥୀ ପାଲଟିବେ ଓଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ ଯୋଡ଼ି ସର୍ବ-ଅର୍ଚ୍ଚିତା। ରବିବାର ସୋସିଆଲ ମିଡିଆରେ ଉଭୟ ବିବାହ କରିବାକୁ ଯାଉଥିବା ନେଇ ପ୍ରଶଂସକଙ୍କୁ ଜଣାଇଥିଲେ। ଏହାପରଠାରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସୋମବାର ରାଜସ୍ଥାନରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ଏହାର କିଛି ଫଟୋ ଭାଇରାଲ ହେଉଥିବା ବେଳେ ଏବେ ବରବଧୂ ବେଶରେ ସବ୍ୟର୍ଚ୍ଚିତାଙ୍କ ଫଟୋ ସମ୍ମୁଖକୁ ଆସିଛି। ବରବେଶ ପାଇଁ ଧଳା ରଙ୍ଗର କୁର୍ତ୍ତା ସାଙ୍ଗକୁ ଗୋଲାପୀ ପଗଡ଼ି ବାଛିଛନ୍ତି ସବ୍ୟ। ସେହିଭଳି ଅର୍ଚ୍ଚିତା ମଧ୍ୟ ଲେହେଙ୍ଗାରେ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ବିବାହକୁ ନେଇ ଉଭୟ ଉତ୍ସାହିତ ଥିବା ଫଟୋରୁ ସ୍ପଷ୍ଟ ବାରି ହେଉଛି।

୨୦୦୭ରେ ଓଡ଼ିଆ ଚଳଚ୍ଚିତ୍ର ‘ପାଗଳପ୍ରେମୀ’ ଜରିଆରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଭିନେତା ସବ୍ୟସାଚୀ। ଏହା ପୂର୍ବରୁ ସେ ଆଲ୍‌ବମ୍‌ ଜଗତର ଜଣେ ପରିଚିତ ଚେହେରା ଥିଲେ। କେବଳ ଚଳଚ୍ଚିତ୍ର ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ୨୦୦୫ରେ ‘ଓ ମାଇଁ ଲଭ୍‌’ରେ ପ୍ରଥମ ଥର ପାଇଁ ଦର୍ଶକଙ୍କ ନଜରକୁ ଆସିଥିଲେ ଅଭିନେତ୍ରୀ ଅର୍ଚ୍ଚିତା। ଚୁଲ୍‌ବୁଲି ଅନ୍ଦାଜ ସାଙ୍କକୁ ଦମ୍‌ଦାର ଅଭିନୟକୁ ନେଇ ସେ ନିଜକୁ ଆଗଧାଡ଼ିର ନାୟିକା ଭାବେ ପ୍ରମାଣିତ କରିଛନ୍ତି। ଏପରିକି ତାଙ୍କୁ ଓଲିଉଡ୍‌ର ଷ୍ଟାଇଲିସ୍‌ ଅଭିନେତ୍ରୀ ମଧ୍ୟ କୁହାଯାଇଥାଏ।

Share