ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୯ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅଧୀନ କଚାଗୁଡ଼ା ଅଞ୍ଚଳରେ ୨୦୦୮ରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସମେତ ୬ ଜଣ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଗୁଣପୁର ସବ୍‌ଜଜ୍‌ଙ୍କ କୋର୍ଟରେ ଏହି ମାମଲାର ବିଚାର ହୋଇଥିଲା। ବୁଧବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ସବ୍‌ଜଜ୍‌ ସଙ୍ଗିତା ମଲ୍ଲିକ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ତାଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବୁଧବାର ଏଡିଜେଙ୍କ କୋର୍ଟରେ ୬ ମାମଲା ବିଚାର ପାଇଁ ରହିଥିଲା। କୌଣସି ସାକ୍ଷୀ ଉପସ୍ଥିତ ନ ଥିବାରୁ ବିଚାର ହୋଇପାରି ନ ଥିଲା। ଏଡିଜେ କୋର୍ଟରେ ମାର୍ଚ୍ଚ ୪ ଏବଂ ୫ରେ ପୁଣି ଶୁଣାଣି ହେବ। ସେହିପରି ସବ୍‌ଜଜ୍‌ଙ୍କ କୋର୍ଟରେ ଫେବୃୟାରୀ ୨୧, ୨୨ରେ ସବ୍ୟସାଚୀଙ୍କୁ ହାଜର କରିବା ପାଇଁ କୋର୍ଟ ପକ୍ଷରୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ମାମଲାରେ ରାୟ ପ୍ରକାଶ ପାଇବା ପରେ ସବ୍‌ଜଜ୍‌ଙ୍କ କୋର୍ଟରେ ୪ ଏବଂ ଏଡିଜେଙ୍କ କୋର୍ଟରେ ୧୨ଟି ସମୁଦାୟ ୧୬ ମାମଲା ସବ୍ୟସାଚୀଙ୍କ ନାମରେ ରହିଥିବା ଜଣାପଡ଼ିଛି।

Share