ପ୍ରମାଣ ଅଭାବରୁ ସବ୍ୟସାଚୀ, ଆଜାଦ୍‌ ଦୋଷମୁକ୍ତ

ନୟାଗଡ଼ ଅଫିସ,୯।୧୦:ନୟାଗଡ଼ ଜିଲାରେ ୨୦୦୮ରେ ମାଓବାଦୀ ଆକ୍ରମଣ ଘଟଣାରେ ଦଶପଲ୍ଲା ଥାନା ଅଞ୍ଚଳରୁ ନଡ଼ିଆ ଟ୍ରକ ଅପହରଣ ସମ୍ପର୍କରେ ରାୟ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଏହି ମାମଲାର ବିଚାର କରି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଓ ସହଯୋଗୀ ବି. କେଶବ ରାଓ ଓରଫ ଆଜାଦ୍‌ଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ସବ୍ୟସାଚୀ, ଆଜାଦ୍‌ଙ୍କ ନଁ। ରେ ୯ ମକଦ୍ଦମା ରହିଛି। ଆଜାଦ୍‌ ୮ କେସରେ ଦୋଷମୁକ୍ତ ହୋଇ ସାରିଥିବାବେଳେ ସବ୍ୟସାଚୀ ୩ ମାମଲାରୁ ମୁକ୍ତି ପାଇଛନ୍ତି ବୋଲି ଆଇନଜୀବୀ ଅମିୟ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲାରେ ୨୦୦୮ ଫେବୃୟାରୀ ୧୫ରେ ସଶସ୍ତ୍ର ମାଓବାଦୀ ଆକ୍ରମଣ କରିଥିଲେ। ଏଥିରେ ୧୫ ପୋଲିସ କର୍ମଚାରୀଙ୍କ ସହ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲ। ଏହି ରାତିରେ ନୟାଗଡ଼ର ରିଜର୍ଭ ଅଫିସ, ପିଟିଏସ୍‌, ନୟାଗଡ଼ ଥାନା, ମହୀପୁର ଫାଣ୍ଡି, ନୂଆଗଁ। ଥାନା ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ସେହିଭଳି ଦଶପଲ୍ଲା ଥାନା ପୋଡ଼ି, ନଡ଼ିଆ ଟ୍ରକ ଅପହରଣ ଓ ଥାନା ଅଧିକାରୀଙ୍କ କ୍ୱାର୍ଟର୍ସ ପୋଡ଼ି କରିଥିଲେ। ନୟାଗଡ଼ କୋର୍ଟରେ ବିଚାର ହେବା ଯୋଗୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ଜେଲ ଓ ସହଯୋଗୀ ବି. କେଶବ ରାଓ ଓରଫ ଆଜାଦ୍‌ ଝାରପଡ଼ା ଜେଲରୁ ଏଠାକୁ ଆସିଥିଲେ। ଦଶପଲ୍ଲା ଥାନା ଓ ଆଇଆଇସିଙ୍କ କ୍ୱାର୍ଟର୍ସ ପୋଡି ଘଟଣାରେ ଗୁରୁବାର ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଥିବା ବେଳେ ଶୁକ୍ରବାର ଶୁଣାଣି ପାଇଁ ନୟାଗଡ଼ ଜେଲରେ ଦୁହିଁଙ୍କୁ ରଖାଯାଇଥିଲା। ଶୁକ୍ରବାର ସବ୍ୟସାଚୀ ବ୍ରହ୍ମପୁର ଓ ଆଜାଦ୍‌ଙ୍କୁ ପୁଣି ଝାରପଡ଼ା ଜେଲକୁ ପଠା ଦିଆଯାଇଛି।

Share