ଗୁଣପୁର କୋର୍ଟରେ ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ

ଗୁଣପୁର,୭।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ଶନିବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଥିଲେ। ବିଜେଡି ନେତା ଯଯାତି କେଶରୀ ସାହୁ ହତ୍ୟାକାଣ୍ଡ ମାମଲାରେ ସବ୍ୟସାଚୀଙ୍କ ବୟାନ ରେକର୍ଡ କରାଯାଇଛି। ସମସ୍ତ ସାକ୍ଷୀଙ୍କ ବିଚାରଣା ପରେ ଏହି ପ୍ରକ୍ରିୟା ହୋଇଥିଲା। ଏଡିଜେ ମାନସ ରଞ୍ଜନ ରଥଙ୍କ କୋର୍ଟରେ ଏହା ହୋଇଥିଲା। ୧୯ ତାରିଖରେ ଏହି ମାମଲାର ରାୟ ପ୍ରକାଶ ନିମନ୍ତେ କୋର୍ଟ ଦିନ ଧାର୍ଯ୍ୟ କରିଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଓବାଦୀମାନେ ବିଜେଡି ନେତା ଯଯାତିଙ୍କୁ ୨୦୦୨ ନଭେମ୍ବର ୨୬ ରାତିରେ ତାଙ୍କ ନାଇରା ସ୍ଥିତ ବାସଭବନରୁ ଘୋଷାରି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସବ୍ୟସାଚୀଙ୍କ ସମେତ ଅନେକ ଲୋକଙ୍କ ନାମରେ ମାମଲା ହୋଇଥିଲା। ପୂର୍ବରୁ ଅନେକ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି। ସବ୍ୟସାଚୀ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ମାମଲା ରୁଜୁ କରିବା ସହ ଚାର୍ଜଶିଟ ଦାଖଲ କରିଥିଲା। ଯାଯାତିଙ୍କୁ ହତ୍ୟା କରାଯିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ସମୟରେ ଏହି ଘଟଣାର ତଦନ୍ତ ହୋଇଥିଲା। ହେଲେ ଘଟଣାର ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆର୍‌ଡିସି ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଏହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି।

Share