ବୋନ୍‌ ଟ୍ୟୁମର କୁନିଙ୍କୁ ସବ୍ୟସାଚୀଙ୍କ ସହାୟତା

ପୁରୀ ଅଫିସ,୨୭।୨: ପୁରୀ ସଦର ବ୍ଲକ୍‌ ବାଲିପଡ଼ାର କୁନି ପଣ୍ଡା ବୋନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ରହୁଥିଲେ। ୨୪ ବର୍ଷ.ବୟସର କୁନିର ଏହି ଦୁଃଖର ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ଓଲିଉଡ ଅଭିନେତା ସବ୍ୟସାଚୀ ମହାପାତ୍ର ସହାୟତାର ହାତ ବଢ଼ାଇଥିଲେ। ସବ୍ୟସାଚୀଙ୍କ ଆର୍ଥତ୍କ ସହଯୋଗ ପରେ ବୋନ ଟ୍ୟୁମର କୁନି ମୁହଁକୁ ହସ ଫେରିଛି। ଏମ୍ସ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ସେ ନିଜ ଗାଁ ବାଲିପଡ଼ାକୁ ଫେରିଛନ୍ତି। ଅସ୍ତ୍ରୋପଚାର ପରେ ଶୁକ୍ରବାର ଅଭିନେତା ସବ୍ୟସାଚୀ ତାଙ୍କୁ ଭେଟିଥିବାବେଳେ କୁନି ତାଙ୍କ ହାତରେ ରାଖୀ ବାନ୍ଧି ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, କୁନିଙ୍କ ହାତରେ ବୋନ୍‌ ଟ୍ୟୁମର୍‌ ହୋଇଥିଲା। ପିଲାବେଳୁ ବାପାଙ୍କୁ ହରାଇବା ସହ ଦାରିଦ୍ର୍ୟରେ ମା’ ଝିଅର ଜୀବନ ଯୁଝୁଥିବାବେଳେ କୁନିର ବୋନ ଟ୍ୟୁମର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଥିଲା। ହେଲେ ପାରିବାରିକ ସମ୍ବଳ ଅଭାବରୁ ସେ ଚିକିତ୍ସା ଆଶା ଛାଡ଼ି ଦେଇଥିଲେ। ଏହାପରେ କୁନି ସୋସିଆଲ୍‌ ମିଡିଆର ସାହାରା ନେଇ ନିଜ ପାଇଁ ଆର୍ଥିକ ସହାୟତା ମାଗିଥିଲେ। ଏହି ଘଟଣା ସବ୍ୟସାଚୀ ଦେଖିବା ପରେ ତାଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ଯୋଗାଯୋଗ କରି ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ପରେ ତାଙ୍କ ସହ ଭେଟି ସମସ୍ତ ଚିକିତ୍ସା ଦାୟିତ୍ୱ ନେଇଥିଲେ। ତେବେ କୁନି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇଥିବା ବେଳେ ଏବେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଏ ନେଇ କୁନି କହିଛନ୍ତି, ମୋ ଜୀବନରେ ସେ ଦେବଦୂତ ସାଜି ଆସିଲେ। ତାଙ୍କର ଏହି ଭଲପାଇବାକୁ ଜୀବନ ସାରା ମନେ ରଖିବି। ସବ୍ୟସାଚୀ ମୋ ଭାଇ ଓ ତାଙ୍କ ପାଖରେ ମୁଁ ଚୀରଋଣୀ। ଉଲ୍ଲେଖଯୋଗ୍ୟ, ସବ୍ୟସାଚୀ କୁନିଙ୍କର ପୂର୍ବ ଓ ପର ଫଟୋ ପୋଷ୍ଟ କରି ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, କୁନି ପାଇଁ ଓଡ଼ିଶାବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ଖୁସି ଲାଗୁଛି ପ୍ରାର୍ଥନା ଫଳପ୍ରଦ ହୋଇଛି ଓ ଅସ୍ତ୍ରୋପଚାର ପରେ କୁନିଙ୍କ ହସ ଫେରିଛି।

Share