Categories: ଜାତୀୟ

ନୂଆ ଦଳ ଗଢ଼ିବେନି ସଚିନ ପାଇଲଟ

ଦାଉସା, ୧୨ା୬(ପି.ଟି.) : ରାଜସ୍ଥାନର ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ନୂଆ ଦଳ ଗଢ଼ିବେ ନାହିଁ। ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଦାଉସାରେ ଏକ ମେଗା ରାଲିକୁ ସମ୍ବୋଧନ କରି ସଚିନ ସ୍ବଚ୍ଛ ରାଜନୀତି ପାଇଁ ଆହ୍ବାନ ଦେଇଛନ୍ତି। ରାଜନୀତିରେ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତଙ୍କ ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ଆସ୍ଥା ତାଙ୍କ ପାଇଁ ସବୁଠୁ ବଡ଼ ସମ୍ବଳ। ଲୋକଙ୍କୁ ନ୍ୟାୟ ଦେବା ଲାଗି ସେ ଲଢ଼େଇ ଜାରି ରଖିବେ ଓ ନିଜ ଦାବିରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରାଜସ୍ଥାନରେ ବସୁନ୍ଧରା ରାଜେ ନେତୃତ୍ୱାଧୀନ ଭାଜପା ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ ବର୍ତ୍ତମାନର ଅଶୋକ ଗେହଲଟଙ୍କ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେ ଏହାର ନିନ୍ଦା କରିଛନ୍ତି। ଆଜି ନ ହେଲେ ବି ଆସନ୍ତାକାଲି ଭଗବାନ ବଡ଼ ନ୍ୟାୟ ଦେବେ ବୋଲି ସେ କହିଛନ୍ତି। ରାଜସ୍ଥାନ ପବ୍ଲିକ୍‌ ସର୍ଭିସ କମିଶନକୁ ଭଙ୍ଗାଯାଇ ସାନି କମିଶନ ଗଠନ କରାଯିବା ସହ ସରକାରୀ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ପାଇଲଟ୍‌ ଦାବି କରିଛନ୍ତି।

Share