Categories: ଖେଳ

ଆଇପିଏଲ୍‌ରେ ପ୍ରଥମ ବାପପୁଅ ସଚିନ ତେନ୍ଦୁଲକର-ଅର୍ଜୁନ

ମୁମ୍ବାଇ, ୧୭ା୪: ପ୍ରଶଂସକମାନଙ୍କର ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ତାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପଦାର୍ପଣ କରିଛନ୍ତି। ଏହି ବଡ଼ ମୁକାବିଲାରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ସିଜନର ପ୍ରଥମ ୩ଟି ମ୍ୟାଚ ଖେଳିଥିବା ଅର୍ଶାଦ ଖାଁଙ୍କ ସ୍ଥାନରେ ତାଙ୍କୁ ଦଳରେ ପ୍ରବେଶ ମିଳିଛି। ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ପସନ୍ଦ ଭାରତୀୟ ପେସ୍‌ ବୋଲିଂ ବିକଳ୍ପ ସନ୍ଧାନରେ ଥିଲା। ଟିମ୍‌ ମ୍ୟାନେଜମେଣ୍ଟ ସଦ୍ୟତମ ଖେଳାଳି ଭାବେ ଅର୍ଜୁନଙ୍କୁ ପସନ୍ଦ କରିଛିି। ବୁମ୍‌ରାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପ୍ରଥମେ ସନ୍ଦୀପ ଓ୍ବାରିୟର୍ସଙ୍କୁ ପସନ୍ଦ କରାଯାଇଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଖେଳିବା ସୁଯୋଗ ପାଇନାହାନ୍ତି। ଅର୍ଜୁନଙ୍କୁ ରୋହିତ ଶର୍ମା କ୍ୟାପ୍‌ ପ୍ରଦାନ କରିଥିଲେ। ରବିବାର ମ୍ୟାଚରେ ସେ ପ୍ରଥମ ଓଭର ବୋଲିଂ କରିଥିଲେ ଏବଂ ୪ ରନ ଦେଇଥିଲେ।
ଘଟଣାକ୍ରମେ ଆଇପିଏଲ୍‌ ଖେଳିବାରେ ଅର୍ଜୁନ ଓ ସଚିନ ତେନ୍ଦୁଲକର ପ୍ରଥମ ପିତା-ପୁତ୍ର ଯୋଡ଼ି ହେବାର ଗୌରବ ଅର୍ଜନ କରିଛନ୍ତି। ସଚିନ ମଧ୍ୟ ଅତୀତରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି। ସେ ଥିଲେ ଦଳର ପ୍ରଥମ ଅଧିନାୟକ। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୦ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା। ସେହି ସିଜନରେ ସଚିନ ଅରେଞ୍ଜ କ୍ୟାପ ହାସଲ କରିଥିଲେ। କିନ୍ତୁ ତାଙ୍କ ଦଳ ଟାଇଟଲ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ଠାରୁ ହାରିଯାଇଥିଲା। ପରବର୍ତ୍ତୀ ବର୍ଷ ଏହି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କ ଶେଷ ଗେମ୍‌ ଚାମ୍ପିୟନ୍ସ ଲିଗ୍‌ରେ ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିଥିଲେ। ମୁମ୍ବାଇ ଦଳ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା ା ବର୍ତ୍ତମାନ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟରେ ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି।
ଅର୍ଜୁନଙ୍କ ସମ୍ପର୍କରେ କହିବାକୁ ଗଲେ, ସେ ପ୍ରଥମେ ମୁମ୍ବାଇରୁ ଗୋଆ ଯାଇ ଘରୋଇ ସିଜନରେ ପାଦ ଦେଇଥିଲେ। ରଣଜୀ ଟ୍ରଫି ପଦାର୍ପଣରେ ସେ ଏକ ଶତକ ହାସଲ କରିଥିଲେ। ୨୦୨୨-୨୩ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ସେ ୭ ମ୍ୟାଚ ଖେଳି ୧୦ ଉଇକେଟ ନେଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଆଉ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଡୁଆନ ଜାନସେନ୍‌ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଛନ୍ତି। ଡୁଆନ ହେଉଛନ୍ତି ମାର୍କୋ ଜାନସେନ୍‌ଙ୍କ ଯମଜ ଭ୍ରାତା।

 

Share