ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ବଡିଗାର୍ଡ, ପୋଲିସର ତନାଘନା

ନୂଆଦିଲ୍ଲୀ,୧୫।୫: ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି। ତେବେ ସେ ଛୁଟିରେ ନିଜ ଘରକୁ ଯାଇଥିଲେ। ସେଠାରେ ସେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜକୁ ଗୁଳି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଏସ୍‌ଆରପିଏଫ୍‌ର ଜଣେ ଯବାନ ଜାମନେର ସହରରେ ନିଜର ପୁରୁଣା ଘରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ପ୍ରକାଶ କାପଡେ। ସେ ଛୁଟିରେ ନିଜର ପୈତୃକ ସହର ଯାଇଥିଲେ।

ଜାମନେର ଥାନାର ବରିଷ୍ଠ ପୋଲିସ ଇନ୍ସପେକ୍ଟର କିରଣ ଶିନ୍ଦେ କହିଛନ୍ତି ଯେ, ଘଟଣା ବିଳମ୍ବିତ ରାତି ୧.୩୦ରେ ଘଟିଛି। ଯବାନଜଣଙ୍କ କାହିଁକି ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ। ହେଲେ ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ହେଲେ ତଦନ୍ତ ପରେ ପ୍ରକୃତ କାରଣ ଉପରୁ ପରଦା ହଟିବ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଜାମନେର ପୋଲିସ ମାମଲା ରୁଜୁ କରି ପରିବାର ସଦସ୍ୟ, ସହକର୍ମୀଙ୍କୁ ପଚରାଉଚରା କରୁଛି। ତେବେ ତାଙ୍କ ପରିବାରରେ ବୁଢ଼ା ମା’ବାପା, ପତ୍ନୀ, ଦୁଇ ନାବାଳକ ସନ୍ତାନ, ଭାଇ ଏବଂ ଅନ୍ୟମାନେ ଅଛନ୍ତି।

Share