Categories: ଖେଳ

ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସ୍ଥାପିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୨୮।୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏପ୍ରିଲ ୨୩ରେ ନିଜର ୫୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ହେଲେ ଚଳିତ ଥର ସଚିନଙ୍କ ଜନ୍ମଦିନରେ କିଛି ନିଆରା ହେବାକୁ ଯାଉଛି। ଏହି ଦିନ ତାଙ୍କୁ ଏକ ବିଶେଷ ଉପହାର ମିଳିବାକୁଯାଉଛି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ସଚିନଙ୍କ ଅବସରର ୧୦ ବର୍ଷ ପରେ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିବାକୁ ଯାଉଛି। ସଚିନ ଏହି ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ ଏବଂ ଏଠାରେ ସେ ନିଜ କ୍ୟାରିଅର୍‌ ମଧ୍ୟ ଆରମ୍ଭ କରିଥିଲେ। ଏପ୍ରିଲ ୨୩ରେ ତାଙ୍କ ୫୦ତମ ଜନ୍ମଦିନରେ କିମ୍ବା ଚଳିତ ବର୍ଷ ହେବାକୁ ଥିବା ଓ୍ବାନଡେ ବିଶ୍ୱକପ ସମୟରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରେ। ଅନ୍ୟପଟେ ସଚିନଙ୍କ ପ୍ରତିମୂର୍ତ୍ତି କେଉଁଠାରେ ସ୍ଥାପନ କରାଯିବ ସେନେଇ ନିଜେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟରେ ଷ୍ଟାଡିୟମରେ ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଆମୋଲ କାଲେ ମଧ୍ୟ ଉପସ୍ଥିତ ଥିଲେ। ସଚିନ ନିଜ ପ୍ରତିମୂର୍ତ୍ତିକୁ ନେଇ କହିଛନ୍ତି, ଏହା ତାଙ୍କ ପାଇଁ ଏକ ସୁନ୍ଦର ଉପହାର। ଏହି ବିଷୟରେ ତାଙ୍କର କୌଣସି ଧାରଣା ନ ଥିଲା ଏବଂ ନିଜ ମୂର୍ତ୍ତି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ କ୍ୟାରିୟର ଏହି ଗ୍ରାଉଣ୍ଡରୁ ଆରମ୍ଭ ହୋଇଥିଲା ଏବଂ ତାଙ୍କୁ ଅନେକ ଅବିସ୍ମରଣୀୟ ସ୍ମୃତି ମିଳିଥିଲା ବୋଲି ସଚିନ କହିଛନ୍ତି।

Share