Categories: ଖେଳ

ଓ୍ବାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ ହେଲା ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୧।୧୧: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଲାଗି ୧ ନଭେମ୍ବର ୨୦୨୩ ସ୍ମରଣୀୟ ହୋଇ ରହିବ। କାରଣ ଯେଉଁ ମଇଦାନରେ ସେ ୧୦ ବର୍ଷ ପୂର୍ବେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ, ସେହି ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନିଜେ ସଚିନ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ବ୍ୟତିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଏନ୍‌ସିପି ନେତା ଏବଂ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଶରଦ ପାଓ୍ବାର, ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁଳ୍କା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସଚିନ ତେନ୍ଦୁଲକରଙ୍କ ଜନ୍ମ ମୁମ୍ବାଇରେ, ସେ ଏଠାରେ ହିଁ ପ୍ରଥମେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ, ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ସେ ବିଶ୍ୱ ଚାମ୍ପିୟନ ହୋଇଥିଲେ, ଏଠାରେ ହିଁ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ଏଣୁ ଏହି ମଇଦାନରେ ମୂର୍ତ୍ତି ଲଗାଯିବା ଏବଂ ଏହି କାର୍ଯ୍ୟକ୍ରମରେ ଭାଗ ନେବାଠାରୁ ଅନ୍ୟ କୌଣସି ଗର୍ବର ବିଷୟ ସଚିନଙ୍କ ପାଇଁ ହୋଇ ନ ପାରେ।

ତେବେ ଗ୍ବାଲିୟରରେ ସେ ୨୦୧୦ ଫେବୃୟାରୀ ୨୪ରେ ଦିନିକିଆ ଇତିହାସର ପ୍ରଥମ ଦ୍ୱିଶତକ ମାରିଥିଲେ। ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସଚିନଙ୍କ ମୂର୍ତ୍ତିକୁ ଗ୍ବାଲିୟରରେ ଲଗାଇବାକୁ ଘୋଷଣା କରିଥିଲେ। ଏହାପରେ ସଚିନଙ୍କ ମୂର୍ତ୍ତି ସ୍ଥାପନ ହେବା ସହ ଉକ୍ତ ମାର୍ଗକୁ ତାଙ୍କ ନାମରେ ନାମିତ କରାଯାଇଥିଲା। ହେଲେ ସଚିନ ସେହି କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ।

Share