ନୂଆଦିଲ୍ଲୀ,୨।୭: ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିବା ଟି-୨୦ ମ୍ୟାଚ୍ ଆଜି ବି ସ୍ମରଣୀୟ ହୋଇ ରହିଛି। ଏହି ମ୍ୟାଚ୍ରେ ଷ୍ଟୁଆର୍ଟ ବ୍ରଡ୍ଙ୍କ ଓଭରରେ ଯୁବରାଜ ସିଂହ ୬ ବଲ୍ରେ ୬ ଛକା ମାରିଥିଲେ,ଯାହାକି ଏହି ଫର୍ମାଟରେ ଗୋଟିଏ ଓଭରରେ ସର୍ବାଧିକ ରନ୍ ନେବାର ରେକର୍ଡ ପାଲଟିଥିଲା। ସେଭଳି କିଛି ଦୃଶ୍ୟ ଏବେ ଟେଷ୍ଟ କ୍ରିକେଟରେ ଦେଖିବାକୁ ମିଳିଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଅଧିନାୟକ ଜସପ୍ରିତ ବୁମ୍ରା ବ୍ରଡ୍ଙ୍କ ଗୋଟିଏ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ତାଙ୍କର ପ୍ରାୟ ବଲ୍କୁ ଚୌକା ନଚେତ ଛକାରେ ରୂପାନ୍ତର କରିଥିଲେ। ବ୍ରଡଙ୍କ ଉକ୍ତ ଓଭରରେ ଗୋଟିଏ ଓ୍ବାଇଡ୍ ଏବଂ ଗୋଟିଏ ନୋ-ବଲ୍ ରହିଥିଲା। ଫଳରେ ମୋଟ ୮ ବଲ୍ରେ ୩୫ ରନ୍ ଦଳର ସ୍କୋରରେ ଯୋଡ଼ି ହୋଇଥିଲା। ଯଥାକ୍ରମେ ୪,୪,୬,୪,୪,୬,୧ ରନ୍ କରି ବୁମ୍ରା ବ୍ରଡ୍ଙ୍କ ଓଭରକୁ ମହଙ୍ଗା ଓଭରରେ ପରିବର୍ତ୍ତିତ କରିଥିଲେ। ବୁମ୍ରାଙ୍କ ବ୍ୟାଟିଂ ଦେଖି ମହାନ କ୍ରିକେଟର ସଚିନ ତେନ୍ଦୁଲକର ଟୁଇଟ୍ କରି ପୂର୍ବଦିନକୁ ମନେ ପକାଇଛନ୍ତି। ଅଧିନାୟକଙ୍କ ଫଟୋ ସହ ‘ଇଏ ଯୁବରାଜ ନା ବୁମ୍ରା?’ ବୋଲି ପ୍ରଶ୍ନ କରିବା ସହ ସେ ୨୦୦୭ କଥାକୁ ମନେ ପକାଇ ଦେଇଥିବା କହିଛନ୍ତି।