Categories: ଖେଳ

ଅର୍ଶଦୀପଙ୍କ ସମର୍ଥନରେ ବାହାରିଲେ ସଚିନ

ମୁମ୍ବାଇ,୬।୯: ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭାରତର ପରାଜୟ ପରେ ଚର୍ଚ୍ଚାରେ ବୋଲର୍‌ ଅର୍ଶଦୀପ ସିଂ। ବିରୋଧୀ ଟିମ୍‌ ଇନିଂସର ୧୮ତମ ଓଭରରେ ଆସିଫ ଅଲୀଙ୍କ କ୍ୟାଚ୍‌ ସେ ଛାଡ଼ି ଦେଇଥିଲେ। ସେତେବେଳେ ଆସିଫ ଖାତା ଖୋଲି ନ ଥିଲେ। ପରବର୍ତ୍ତୀ ସମୟରେ ଏହି କ୍ୟାଚ୍‌ ଛାଡ଼ିବା ଭାରତକୁ ମହଙ୍ଗା ପଡ଼ିଥିଲା। କାହିଁକିନା ସେ ୮ ବଲ୍‌ରେ ୧୬ ରନ୍‌ କରି ପାକିସ୍ତାନକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଏହାକୁ ନେଇ ଭାରତୀୟ ପ୍ରଶଂସକ ଅର୍ଶଦୀପଙ୍କୁ ଭାରତ ପରାଜୟର ମୁଖ୍ୟ କାରଣ ବୋଲି କହୁଛନ୍ତି। ଏପରିକି ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଏହି ଘଟଣାରେ ଅର୍ଶଦୀପଙ୍କ ସମର୍ଥନରେ ବାହାରିଛନ୍ତି ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର।

ସଚିନ ଟୁଇଟ୍‌ କରି କହିଛନ୍ତି, ଦେଶର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକଟି ଖେଳାଳି ନିଜର ସର୍ବଶ୍ରେଷ୍ଠ ଦେଇଥାଏ। ସର୍ବଦା ସେ ଦେଶ ପାଇଁ ଖେଳିଥାଏ। ଏଥିଲାଗି ତାଙ୍କୁ ସର୍ବଦା ସମର୍ଥନର ଆବଶ୍ୟକତା ରହିଛି। ଖେଳରେ କେବେ ହାର କେବେ ଜିତ୍‌ ଥାଏ। ଏମିତିରେ କ୍ରିକେଟକୁ ବ୍ୟକ୍ତିଗତ ଆକ୍ଷେପରୁ ମୁକ୍ତ ରଖନ୍ତୁ। ଅର୍ଶଦୀପ କଠିନ ପରିଶ୍ରମ କର। ମଇଦାନରେ ଦମ୍‌ଦାର ପ୍ରଦର୍ଶନ କରି ସମାଲୋଚନାକାରୀଙ୍କୁ ଜବାବ ଦିଅ। ମୁଁ ତୁମକୁ ଫଲୋ କରୁଛି। ମୋ ତରଫରୁ ଶୁଭକାମନା ବୋଲି ସେ ଲେଖିଛନ୍ତି।

ପ୍ରକାଶ ଥାଉ କି, ପାକିସ୍ତାନ ବିପକ୍ଷ ମୁକାବିଲାରେ ଅର୍ଶଦୀପ ୩.୫ ଓଭରରେ ୨୭ ରନ୍‌ ଦେଇ ୧ ଉଇକେଟ ନେଇଥିଲେ।

Share