Categories: ଖେଳ

୧୪ ବର୍ଷୀୟା ବାଳିକାଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ

ଜୟପୁର,୧୬।୨: ରାଜସ୍ଥାନର ବାଲି ପଡିଆରେ ଚୌକା ଓ ଛକା ମାରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁମଲ ମେହେରଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ପ୍ରଶଂସାରେ ପୋତି ପକାଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଟୁଇଟରରେ ମୁମଲଙ୍କ ଭାଇରାଲ ଭିଡିଓ ଟୁଇଟ୍‌ କରି କହିଛନ୍ତି, ଗତକାଲି ତ ନିଲାମ ହୋଇଛି.. ଏବଂ ଆଜି ମ୍ୟାଚ ମଧ୍ୟ ଆରମ୍ଭ ହୋଇଛି କି? ବହୁତ ବଢିଆ, ତୁମର ବ୍ୟାଟିଂକୁ ପ୍ରକୃତରେ ମୁଁ ଉପଭୋଗ କଲି।
ଗାଁରେ ମୁମଲ ମେହେରଙ୍କ ଚୌକା ଓ ଛକା ମାରିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାଜସ୍ଥାନର ବାରମେର ଜିଲାର ଛୋଟ ଗାଁ ଶେରପୁରା କାନାସର ବାସିନ୍ଦା ୧୪ ବର୍ଷିୟା ମୁମଲ ମେହେର କ୍ରିକେଟର ଏକ ଚମତ୍କାର ପ୍ରତିଭା ଭାବରେ ଉଭା ହୋଇଛନ୍ତି। ମୁମଲଙ୍କ ଏହି ଭାଇରାଲ ଭିଡିଓ ଦେଖି ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ମୁମଲଙ୍କ ପିତା ଜଣେ କୃଷକ। ତାଙ୍କ ୬ ଭଉଣୀ ଏବଂ ଦୁଇ ଭାଇ ଅଛନ୍ତି। ସେ ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି।
କଠିନ ପରିସ୍ଥିତିରେ ମଧ୍ୟ ମୁମଲ ମେହେର କ୍ରିକେଟ ଖେଳନ୍ତି। ସେ ପ୍ରତିଦିନ ତିନିରୁ ଚାରି ଘଣ୍ଟା ଅଭ୍ୟାସ କରନ୍ତି। ତାଙ୍କ ସ୍କୁଲ ଶିକ୍ଷକ ରୋଶନ ଖାନ ତାଙ୍କୁ ତାଲିମ ଦେଉଛନ୍ତି। ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଆଦର୍ଶରେ ମୁମଲ ଚୌକା ଓ ଛକା ମାରୁଛନ୍ତି। ମୁମଲଙ୍କ ଆର୍ଥିକ ଅବସ୍ଥା ଏପରି ଯେ ତାଙ୍କ ପାଖରେ ଜୋତା ମଧ୍ୟ ନାହିଁ। ସେ କ୍ରିକେଟ ଖାଲି ପାଦରେ ଖେଳିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ରାଜସ୍ଥାନରେ ଆୟୋଜିତ ହୋଇଥିବା ଗ୍ରାମୀଣ ଅଲିମ୍ପିକ୍ସରେ ମୁମଲ ଅଂଶଗ୍ରହଣ କରିଥିଲେ।
ସୋସିଆଲ ମିଡିଆରେ ମୁମଲଙ୍କ ପ୍ରତିଭା ତଥା ଖ୍ୟାତି ଦ୍ୱାରା ପ୍ରଭାବିତ ହୋଇ ରାଜସ୍ଥାନ ଭାଜପା ରାଜ୍ୟ ସଭାପତି ସତୀଶ ପୁନିଆ ତାଙ୍କ ପାଇଁ ଏକ କ୍ରିକେଟ କିଟ ପଠାଇଛନ୍ତି।

 

Share