Categories: ଖେଳ

ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ସଚିନ୍‌: ୧୭ ବର୍ଷ ବୟସରେ ଏପରି ଆରମ୍ଭ ହୋଇଥିଲା ‘ଲଭଷ୍ଟୋରୀ’

ନୂଆଦିଲ୍ଲୀ,୧୪।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଇଂଲଣ୍ଡ ବିରୋଧରେ ମଞ୍ଚେଷ୍ଟରରେ ଖେଳାଯାଉଥିବା ଟେଷ୍ଟର ପଞ୍ଚମ ଦିନରେ ସଚିନ ୧୧୯ ରନ୍‌ କରି ଭାରତକୁ ଜିତାଇଥିଲେ।

୪୦୮ ରନ୍‌କୁ ପିଛା କରୁଥିବା ଭାରତୀୟ ଟିମ୍‌ ୧୮୩ରନ୍‌ରେ ୬ ଓ୍ବିକେଟ୍‌ ହରାଇଥିଲା। ଏହାପରେ ସଚିନ ଏବଂ ମନୋଜ ପ୍ରଭାକର ମଇଦାନକୁ ଆସିଥିଲେ। ଉଭୟ ୧୬୦ରନ୍‌ର ଯୋଗଦାନ କରିଥିଲେ। ଫଳରେ ଭାରତ ୩୪୩/୬ ଭଳି ସ୍ଥିତିରେ ପହଞ୍ଚିଥିଲା। ଗୋଟିଏ ପଟେ ଜୀବନର ପ୍ରଥମ ଶତକ ଏବଂ ପରଦିନ ସ୍ବାଧୀନତା ଦିବସ ଥିବାରୁ ଏହି ଶତକ ବହୁତ ଖାସ୍‌ ପାଲଟିଥିଲା। ସେ କମ୍‌ ବୟସ(୧୭ ବର୍ଷ ୭୮ ଦିନ)ରେ ଟେଷ୍ଟ ଖେଳି ଶତକ ହାସଲ କରିଥିବା ଦ୍ୱିତୀୟ କ୍ରିକେଟର ପାଲଟିଥିଲେ।

ନିଜ କ୍ୟାରିୟରର ପ୍ରଥମ ଇଂଲଣ୍ଡ ଗସ୍ତ ସାରି ଫେରିବା ପରେ ସଚିନଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଥିଲା। କାରଣ ପ୍ରଥମ ଥର ପାଇଁ ସଚିନ ଅଞ୍ଜଳିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିଥିଲେ। ଅଞ୍ଜଳି ନିଜ ବନ୍ଧୁଙ୍କ ସହ ମା’ଙ୍କ ଆସିବା ବାଟକୁ ଅନାଇ ବସିଥିଲେ। ଏହି ସମୟରେ ତାଙ୍କ ବନ୍ଧୁ ଡା. ଅପର୍ଣ୍ଣା ସଚିନଙ୍କୁ ଚିହ୍ନି ନେଇଥିଲେ। ପରେ ସେ ଅଞ୍ଜଳିଙ୍କୁ କହିଥିଲେ, ଦେଖ..ଇଏ ହେଉଛନ୍ତି ସେହି ଖେଳାଳି, ଯିଏ ଇଂଲଣ୍ଡରେ ଶତକ କରିଛନ୍ତି। ଏହା ଶୁଣି ଅଞ୍ଜଳି ଅଟୋଗ୍ରାଫ ପାଇଁ ସଚିନଙ୍କ ପଛରେ ଦୌଡ଼ିଥିଲେ। ଝିଅଟିଏ ପିଛା କରୁଥିବାରୁ ସଚିନ ମଧ୍ୟ ଲାଜେଇ ଯାଇଥିଲେ। ସେ ଚୁପ୍‌ଚାପ କାର୍‌ରେ ବସିଥିଲେ। ଏସବୁ ମଧ୍ୟରେ ମଜା କଥା ଏହା ଥିଲା ଯେ, ସଚିନଙ୍କଠାରୁ ଅଟୋଗ୍ରାଫ ଆଣିବାକୁ ଯାଇ ଅଞ୍ଜଳି ନିଜ ମାଆଙ୍କୁ ଭୁଲିଯାଇଥିଲେ।

ବିମାନବନ୍ଦରରେ ଭେଟିବା ପରେ ଅଞ୍ଜଳି ସଚିନଙ୍କ ସହ କଥା ହେବାକୁ ଚାହିଁଥିଲେ। ସାଙ୍ଗମାନଙ୍କ ସହାୟତାରେ ସେ ଫୋନ୍‌ ନମ୍ବର ପାଇଥିଲେ। ପରେ ଉଭୟ କଥା ହୋଇଥିଲେ। ପ୍ରଥମ କଲ୍‌ରେ ଅଞ୍ଜଳି ସଚିନଙ୍କୁ କହିଥିଲେ- ମୁଁ ବିମାନବନ୍ଦରରେ ଆପଣଙ୍କୁ ଦେଖିଥିଲି। ଏହାର ଜବାବରେ ସଚିନ କହିଥିଲେ-ହଁ, ମୁଁ ବି ଆପଣଙ୍କୁ ଦେଖିଥିଲି, ଆପଣ ମୋ ପଛରେ ଦୌଡ଼ୁଥିଲେ। ଧିରେ ଧିରେ କଥା ଆଗକୁ ବଢ଼ିଥିଲା। ଉଭୟ ଭଲ ବନ୍ଧୁ ହୋଇଥିଲେ। ସଚିନଙ୍କୁ ଦେଖିବା ପାଇଁ ଅଞ୍ଜଳି ନିଜକୁ ସାମ୍ବାଦିକାର ପରିଚୟ ଦେବାକୁ ମଧ୍ୟ ପଛାଇ ନ ଥିଲେ।

ଦୀର୍ଘ ପାଞ୍ଚ ବର୍ଷ ଧରି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସଚିନ। ହେଲେ ଏହା କୌଣସି ବଡ ମ୍ୟାଚ୍‌ ଖେଳିବାରୁ କମ୍‌ ନ ଥିଲା। ହେଲେ ଉଭୟଙ୍କ ପରିବାର ରାଜି ହୋଇଥିଲେ। ଶେଷରେ ୧୯୯୪ରେ ଉଭୟ ନିର୍ବନ୍ଧ କରିନେଇଥିଲେ। ପରେ ୧୯୯୫ ମେ’ ୨୪ରେ ଉଭୟ ବିବାହ କରିଥିଲେ।

Share