Advertisement

ଶିଶୁପୁତ୍ରଙ୍କୁ ବଳି ଉଦ୍ୟମ ଚର୍ଚ୍ଚା

ଉଦଳା,୧୫ା୨(ସନ୍ତୋଷ କୁମାର ବାଚ୍ଛିନୀ)୭ବର୍ଷର ଶିଶୁପୁତ୍ରଙ୍କୁ ମା’ ବାପା ବଳି ଦେବା ପାଇଁ ଆଣିଥିଲେ। ହେଲେ ବଳି ପୂର୍ବରୁ ଶିଶୁପୁତ୍ର ଜଣକ କୌଶଳକ୍ରମେ ସେଠାରୁ ଖସିଯାଇଥିଲେ। ପରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମା’ ବାପା ରାତି ସାରା ଜଙ୍ଗଲରେ ଲୁଚି ରହିଥିଲେ। ଶେଷରେ ଗ୍ରାମବାସୀ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ସେମାନଙ୍କୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ ା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଉଦଳା ଥାନା ଛୋଟରାୟପୁର ଅଞ୍ଚଳର ଏକ ଦମ୍ପତି ନିଜର ପୁଅକୁ ମାମୁଘରକୁ ବୁଲାଇ ନେବାକୁ କହି ସାଙ୍ଗରେ ଧରି କପ୍ତିପଦା ଥାନା ନୁଦଡିହା ଅଞ୍ଚଳକୁ ଆସିଥିଲେ। ବିଳମ୍ବିତ ରାତିରେ କୁକୁନ୍ଦରାଣୀ ହୁଡିକୁ ନେଇ ସେଠାରେ ପୁଅକୁ ବଳି ଦେବାକୁ ଉଦ୍ୟମ କରିଥିଲେ। ଶିଶୁପୁତ୍ର ଜଣକ କୌଣସି ପ୍ରକାରେ ସେଠାରୁ ଖସି ଆସି ସ୍ଥାନୀୟ କେତେଜଣ ଯୁବକଙ୍କ ନିକଟରେ ପହଞ୍ଚତ୍ ତାଙ୍କ ମା’ ବାପା ତାଙ୍କୁ ବଳି ଦେବାକୁ ଉଦ୍ୟମ କରୁଥିଲେ ବୋଲି କହିଥିଲେ। ଯୁବକମାନେ ମା’ ବାପାଙ୍କୁ ଖୋଜିପାଇବା ପରେ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ଚାଲିଯାଇଥିଲେ। ରାତିତମାମ ନିକଟସ୍ଥ ହାଣ୍ଡିଫୁଟା ଜଙ୍ଗଲରେ ଉଭୟ ସ୍ତ୍ରୀ ସ୍ବାମୀ ଲୁଚି ରହିଥିଲେ। ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଲୋକେ ଉଭୟଙ୍କୁୁ ହାଣ୍ଡିଫୁଟା ଅଞ୍ଚଳରୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ନୁଦଡିହା ଫାଣ୍ଡି ପୋଲିସ ପହଞ୍ଚତ୍ ଉଭୟଙ୍କୁ ହେପାଜତକୁ ନେଇଥିଲା। ଉଦ୍ଧାର ଶିଶୁପୁତ୍ର ସ୍ଥାନୀୟ ଯୁବକଙ୍କ ପାଖରେ ରହିଥିବା ଜଣାପଡ଼ିଛି। ତେବେ ଫାଣ୍ଡିରେ ଅଟକ ଥିବା ଦମ୍ପତି କେଉଁ କାରଣ ପାଇଁ ନିଜ ଜନ୍ମ କଲା ପୁଅକୁ ବଳି ଦେବାକୁ ନେଇଥିଲେ ପୋଲିସ ତାହାର ଖୋଳତାଡ଼ କରୁଛି। ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ଏହି ବଳି ଘଟଣାକୁ ଅସ୍ବୀକାର କରିଥିବା ବେଳେ ଉକ୍ତ ଦମ୍ପତି ମାତ୍ରାଧିକ ନିଶାସକ୍ତ ହୋଇ ପଡ଼ିଥିବାରୁ ନାବାଳକ ଜଣକ ସେଠାରୁ ଭୟରେ ଖସି ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share