
ଢେଙ୍କାନାଳ ଅଫିସ,୨।୯: ପୌର ନିର୍ବାଚନକୁ ବିତିଛି ୬ମାସ। ପୌରାଧ୍ୟକ୍ଷା-ଉପାଧ୍ୟକ୍ଷ, ବିଜେଡି-ଭାଜପା କାଉନ୍ସିଲରଙ୍କ କାଦୁଅ ଫିଙ୍ଗା ରାଜନୀତି ମଧ୍ୟରେ ବିତିଛି ଏହି ମୂଲ୍ୟବାନ ସମୟ। ଏହି ବିବାଦରେ ବଳିପଡ଼ିଛି କୁଞ୍ଜକାନ୍ତ ପୋଖରୀ ପାର୍ଶ୍ୱ ପାର୍କ ଏବଂ ଓପନ୍ ଜିମ୍। ସ୍ବାୟତ୍ତ ଶାସନ ଦିବସରେ ସହରବାସୀଙ୍କ ଉଦ୍ଦେଶ୍ୟରେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବାବେଳେ ତାହା ହୋଇପାରିନାହିଁ। କେବଳ ପାର୍କ ଓ ଓପନ ଜିମ୍ ନୁହେଁ, ସହରର ଏଭଳି ଅନେକ ପ୍ରକଳ୍ପର କେବେ ଉଦ୍ଘାଟନ ହେବ, ତାହା ସନ୍ଦିହାନ ହୋଇପଡ଼ିଛି।
ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ୨୦ଲକ୍ଷ ଟଙ୍କା ବ୍ୟୟରେ ୩ନଂ. ୱାର୍ଡ କୁଞ୍ଜକାନ୍ତ ପୋଖରୀ ପାର୍ଶ୍ୱରେ ନିର୍ମାଣ କରାଯାଇଛି ପାର୍କ ଓ ଓପନ୍ ଜିମ୍। ଏଥିସହ ପୋଖରୀ ଚତୁଃପାର୍ଶ୍ୱ ଆଲୋକୀକରଣ କରାଯାଇଛି। ତେବେ ପୌରାଞ୍ଚଳରେ ଦୁଇ ପ୍ରମୁଖ ଦଳ ମଧ୍ୟରେ ବିବାଦ ଯୋଗୁ ଉନ୍ନତିମୂଳକ କାର୍ଯ୍ୟର ସୁଫଳରୁ ବଞ୍ଚତ୍ତ ହେଉଛନ୍ତି ସହରବାସୀ, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସଂକ୍ରାନ୍ତରେ ୩ନଂ. ୱାର୍ଡ କାଉନ୍ସିଲର ଅଭିମନ୍ୟୁ ପଣ୍ଡା କୁହନ୍ତି, ନିମନ୍ତ୍ରଣ କାର୍ଡରେ କେବଳ କେତେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ ବୋଲି ଲେଖାଥିଲା। କିନ୍ତୁ ସ୍ପଷ୍ଟ ଭାବେ କେଉଁ ପ୍ରକଳ୍ପ କେଉଁଠି ଉଦ୍ଘାଟନ ହେବ ବୋଲି କୌଣସି ସୂଚନା ନ ଥିଲା। କାଉନସିଲର ଭାବେ ଏ ସଂକ୍ରାନ୍ତରେ କିଛି ଜଣାଇ ନ ଥିଲେ। ଖୁବ୍ଶୀଘ୍ର ପାର୍କ, ଓପନ ଜିମ ଏବଂ ୨ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ପୋଖରୀ ଚତୁଃପାର୍ଶ୍ୱ ଆଲୋକୀକରଣ କାର୍ଯ୍ୟ ଉଦ୍ଘାଟନ ହେବ।