Categories: ଜାତୀୟ

ଧନ ପାଇଁ ଦୁଇ ମହିଳାଙ୍କୁ ବଳି

କୋଚି, ୧୨।୧୦: ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ସମାଜରୁ ଅନ୍ଧବିଶ୍ୱାସ ଦୂର ହେଉନାହିଁ। ଅନ୍ଧବିଶ୍ୱାସ, କୁସଂସ୍କାର ଓ ନିକୃଷ୍ଟ ପରମ୍ପରା ଧନଜୀବନ ହାନିର କାରଣ ପାଲଟୁଛି। ସମୃଦ୍ଧି ପାଇଁ କେରଳର ଏକ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି। ବଳି ଦେଇଥିବା ଥିରୁଭଲ୍ଲା ବାସିନ୍ଦା ଭଗଓ୍ବନ୍ତ ସିଂ, ତାଙ୍କ ସ୍ତ୍ରୀ ଲୈଲା ଏବଂ ଉଭୟଙ୍କୁ ଏଥିପାଇଁ ପ୍ରବର୍ତ୍ତାଇଥିବା ମହମ୍ମଦ ସାଫିଙ୍କୁ ପୋଲିସ ଗିରଫ କରିଛି। କୋଚିର ପୋନ୍ନୁରୁନ୍ନି କଲୋନୀ ବାସିନ୍ଦା ପଦ୍ମମ (୫୨) ଓ ଥିରିସୂର ଜିଲା ଭଡକ୍କେନ୍‌ଚେରି ନିବାସୀ ରୋଜିଲି (୫୦) ଏର୍ନାକୁଲମର କାଲାଡିରେ ରହୁଥିଲେ। ସାଫି ଭଗଓ୍ବନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସମୃଦ୍ଧିର ସ୍ବପ୍ନ ଦେଖାଇ ୨ ମହିଳାଙ୍କୁ ବୁଝାଇଶୁଝାଇ ପାଠନମ୍‌ଥିଟ୍ଟାକୁ ନେଇଥିଲେ। ଏହି ଦମ୍ପତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳା ଦ୍ୱୟଙ୍କୁ ବଳି ଦେଇଥିଲେ। ଗିରଫ ହେବା ପରେ ୩ ଅଭିଯୁକ୍ତ ଦୋଷ ସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ କହିଛନ୍ତି, ଏହି ଘଟଣା କେରଳର ପ୍ରଗତିଶୀଳ ମାନସିକାତକୁ ଦୋହାଲାଇ ଦେଇଛି।

Share