ଅଧ୍ୟାପକ ନିରଞ୍ଜନ ପାଢ଼ୀ
ସମାଜର ସାମାଜିକ ଓ ଅର୍ଥନୈତିକ ସଂସ୍କୃତି ମଧ୍ୟରେ ଦୁଃଖୀ ମଣିଷର ଦୁଃଖ ବା ସୁଖୀ ମଣିଷର ସୁଖର ଦୃଷ୍ଟାନ୍ତ ଖୋଜିବା ଯେମିତି କଷ୍ଟସାଧ୍ୟ ନୁହେଁ, ସେମିତି ଏସବୁ ଦୃଷ୍ଟାନ୍ତ କୌଣସି ଅର୍ଥପୂର୍ଣ୍ଣ ଅନୁଶୀଳନର ଅପେକ୍ଷା ରଖେ ନାହିଁ। ପୁଣି ସଚରାଚର ଦୃଷ୍ଟିରେ ପଡ଼ୁଥିବା କିଛି ସୁଖୀ ଲୋକଙ୍କର ନିଜସ୍ବ ଦୁଃଖ ବୋଲି କିଛି ଥାଏ, ଯାହା ଯେତେ ଲୁଚାଇଲେ ବି ଅନ୍ୟଠୁଁ ଗୋପନ ରଖାଯାଇପାରେନା। ଐଶ୍ୱର୍ଯ୍ୟ ମଧ୍ୟରେ ଉବୁଟୁବୁ ହେଉଥିବା ଧନପତିଙ୍କ ନିଃସନ୍ତାନ ହେବାର ଦୁଃଖ ହେଉ କି ଏକଦା ଏକାଧିକ ସନ୍ତାନସୁଖରେ ମୁଗ୍ଧ ଜୀବନ ଜିଇଥିବା ଲୋକଟି ବୃଦ୍ଧାବସ୍ଥାରେ ସନ୍ତାନଙ୍କ ଦ୍ୱାରା ନିର୍ଯାତିତ ହୋଇ ଜରାଶ୍ରମରେ କାଳ କାଟୁଥିବାର ଦୁଃଖ ହେଉ, ସୁଖର ଅନ୍ତରାଳରେ ଦୁଃଖର କଳାଛାୟା ଭୋଗୁଥିବାର ଦୃଶ୍ୟ ଏ ସଂସାରରେ ବିରଳ ନୁହେଁ। ମାତ୍ର ଅଭାବ, ଅନଟନ ବା ଅପ୍ରାପ୍ତି ଓ ଅସହାୟତାରେ ଭରା ଯାହାର ଜୀବନ; ସେଭଳି ଦୁଃଖୀ ଲୋକର ସୁଖ ପରିକଳ୍ପନା କରିବା ବୋଧହୁଏ ମର୍ତ୍ତ୍ୟରେ ପାରିଜାତ କଳ୍ପନା କରିବା ଭଳି ଏକାନ୍ତ ଅବାସ୍ତବ। ମାତ୍ର ଏ ଜଗତରେ ସବୁ କଥାରେ କିଛି ନା କିଛି ବ୍ୟତିକ୍ରମ ଥିବା ଭଳି ଏକଥାରେ ମଧ୍ୟ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ଓ ଯେତେବେଳେ ଏମିତି କିଛି ଦୁଃଖୀ ମଣିଷର ସୁଖ ଆଖିରେ ପଡ଼େ, ସେତେବେଳେ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇଯାଏ ଉଭୟ ମନ ଓ ହୃଦୟ। ସେମିତି କିଛି ଅନୁଭବର ଦୁର୍ଲଭ ଦୃଷ୍ଟାନ୍ତ।
ରାଜଧାନୀର ଏକ ମନ୍ଦିର ପାର୍ଶ୍ୱରେ ଥିବା ଟିଫିନ୍ ଷ୍ଟଲରେ ବହୁ ଲୋକ ଟିଫିନ୍ କିଣି ଖାଉଥିଲା ବେଳେ ଜଣେ ଟ୍ରଲିରିକ୍ସାଚାଳକ ତିରିଶ ଟଙ୍କାର ପୁରି ଡାଲ୍ମା ପ୍ଲେଟ କିଣି ଖାଇବା ଉପକ୍ରମ କରୁଛି, ଅଚାନକ ନିଜ ହାତ ପାଟି ପାଖକୁ ନେଇ କିଛି ଖାଦ୍ୟ ମାଗି ବସିଲା ଜଣେ ଭୋକିଲା ଭିକାରି। ଭୋକର ଯନ୍ତ୍ରଣାକୁ ବହୁବାର ଅଙ୍ଗେ ନିଭାଇଥିବା ଟ୍ରଲିରିକ୍ସାଚାଳକ ଠିକ୍ ବୁଝିପାରିଲା ବୃଦ୍ଧ ଭିକାରିର ଭୋକର ଭାଷାକୁ। ସେ ତା’ ଟିଫିନ୍ ପ୍ଲେଟ୍ଟିକୁ ବିନା ଦ୍ୱିଧାରେ ଭିକାରି ହାତକୁ ଟେକିଦେଇ ଫେରିଗଲା ରିକ୍ସା ପାଖକୁ। ସେଯାଏଁ ନିଜେ ଟିଫିନ୍ ଖାଇବାକୁ ଆସି ଏହି ଦୃଶ୍ୟକୁ ଅବଲୋକନ କରୁଥିବା ଏଇ ଲେଖକ ଆଉ ସମ୍ଭାଳି ରହିପାରିଲା ନାହିଁ। ସେ ସେଇ ଉଦାର ରିକ୍ସାବାଲାର ପଥ ଓଗାଳି ତା’ ପାଇଁ ଟିଫିନ୍ ପ୍ଲେଟଟିଏ କିଣିଦେବାର ପ୍ରସ୍ତାବ ବାଢ଼ନ୍ତେ, ତା’ ପାଖରୁ ଯେଉଁ ଉତ୍ତର ପାଇଲା, ତାକୁ ସ୍ତବ୍ଧ ଚକିତ କରିଦେଲା। ପ୍ରାଚୁର୍ଯ୍ୟର ପରିମାପରେ ବାମନ ମଣିଷଟି ସେଦିନ ସାମର୍ଥ୍ୟ ଓ ସାଧୁତାର ଉଜ୍ଜ୍ୱଳ ଉପସର୍ଗକୁ ନେଇ ଯେଉଁ ସଫେଇ ଦେଇଥିଲା, ତାହା ଆମ ଭଳି ବହୁ ଡେଙ୍ଗା ଲୋକଙ୍କ ପାଇଁ ଏକ ବିରଳ ଉପଲବ୍ଧି। ସେ କହିଥିଲା, ”ବାବୁ! ଆଉ ଗୋଟାଏ ଭଡ଼ା କେଉଁଠାରୁ ମିଳିଗଲେ ମୋ କ୍ଷୁଧା ନିବାରଣ ପାଇଁ ତିରିଶ ଟଙ୍କାର ପୁରି ଡାଲମା ପୁଣି ମୋତେ ମିଳିଯିବ। ମାତ୍ର କେଉଁଠୁ ମିଳିବ ସେତକ ସେଇ ବୁଢ଼ା ଭୋକିଲା ଭିକାରିଟିକୁ?“ ନିଜ ସୁଖରେ ବୁଡ଼ି ରହିଥିବା କେତେଜଣ ଏମିତି ପ୍ରଶ୍ନଟିଏ ପଚାରିପାରନ୍ତି!
ଜଣେ ବନ୍ଧୁଙ୍କଠୁଁ ଶୁଣିଥିବା ତାଙ୍କ ପ୍ରତ୍ୟକ୍ଷ ଅନୁଭୂତିର ଅନ୍ୟ ଏକ ଦୁର୍ଲଭ ଦୃଶ୍ୟପଟ। ଡିସେମ୍ବରର ଏକ ମଧ୍ୟରାତ୍ରରେ କଲିକତା ଯିବାକୁ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଥିଲା ବେଳେ ଏହି ବିରଳ ଦୃଶ୍ୟଟି ବନ୍ଧୁଙ୍କ ଆଖିରେ ପଡ଼ିଥିଲା। ଶୀତରାତିର ହାଡ଼ଭଙ୍ଗା ଜାଡ଼ରେ ଦେହ ଥରି ଉଠୁଥିଲା। ଟ୍ରେନ୍ ପାଇଁ ଅପେକ୍ଷାମାଣ ଯାତ୍ରୀଙ୍କୁ ଛାଡ଼ିଦେଲେ ବାକି ଯେଉଁମାନେ ଦୃଷ୍ଟିରେ ପଡ଼ୁଥିଲେ, ସେମାନେ ଥିଲେ ପ୍ଲାଟଫର୍ମର ଚଟାଣ ଉପରେ ବିଛଣା ପାରି ଶୋଇଯାଇଥିବା ବା ଶୋଇବାର ଉପକ୍ରମ କରୁଥିବା କେଇଜଣ ବାସହୀନ ବୁଲା ଭିକାରି। ଅଚାନକ ଅଭାବିତ ଦୃଶ୍ୟଟିଏ ତାଙ୍କ ଆଖିରେ ପଡ଼ି ତାଙ୍କୁ କିଛି ସମୟ ପାଇଁ ଅନ୍ୟମନସ୍କ କରି ଦେଇଥିଲା।
ଆଣ୍ଠୁ ଉପରକୁ ରହୁଥିବା ଗାମୁଛାଟିଏ ପିନ୍ଧି ଓ ତାହାଠୁଁ ଛୋଟ ଗାମୁଛାଟି ଦ୍ୱାରା ନିଜ ସମଗ୍ର ଶରୀର ଘୋଡ଼ାଇ ଶୀତଦାଉରୁ ନିଜକୁ ରକ୍ଷା କରିବାର ଅସଫଳ ଉଦ୍ୟମରେ ଲାଗି ପଡ଼ିଥିଲା ଦରିଦ୍ର ବାସହୀନ ଲୋକଟି। ସେଇ ଦରିଦ୍ର ଲୋକଟିର ଦୁଃଖ କିଛି ଦୂରରେ ଶୋଇବାକୁ ଉପକ୍ରମ କରୁଥିବା ଆଉ ଜଣେ ବାସହୀନ ଲୋକ ଆଖିରେ ପଡୁଥିଲା। କମ୍ବଳଟିଏ ସାହାଯ୍ୟରେ ସେ ଶୀତରୁ ନିଜକୁ ରକ୍ଷା କରିପାରୁଥିଲା। ପ୍ରଥମ ଭିକାରିର ଅସହାୟତା ବାରମ୍ବାର ତା’ ଆଖିରେ ପଡ଼ିଲା ପରେ ସେ ତା’ କମ୍ବଳଟିକୁ ନେଇ ତା’ ଉପରେ ଘୋଡ଼ାଇ ଦେଇ ନିଜ ଜାଗାକୁ ଫେରିଆସିଲା। ନିଜ ଆଣ୍ଠୁ ଦୁଇଟି ସନ୍ଧିରେ ମୁଣ୍ଡଟିକୁ ଗେଞ୍ଜି ନିଜକୁ ଉଷୁମ କରିବାର ଚେଷ୍ଟାରେ ଥିବା ସେହି ଦ୍ୱିତୀୟ ବାସହୀନ ଦରିଦ୍ର ଲୋକଟି ଭିତରେ ଏପରି ବଡ଼ପଣ ଦେଖି ତଟସ୍ଥ ହୋଇ ଯାଇଥିଲେ ବନ୍ଧୁ। ଭାବୁଥିଲେ, ନିଜେ ଅସହ୍ୟ ଶୀତରେ ଥରି ଯାଉଥିଲା ବେଳେ କେମିତି ପୁଣି ଅନ୍ୟ ଦେହରେ ଭରି ଦେଇପାରେ ସହୃଦୟତାର ଉଷ୍ମତା! କେବଳ ସେଇ ବନ୍ଧୁ କାହିଁକି, ଆମ ସମସ୍ତଙ୍କ ପାଇଁ ଏ ପ୍ରଶ୍ନ ବୋଧହୁଏ ଏକ ସର୍ବକାଳୀନ ରହସ୍ୟ।
ଅବଶ୍ୟ ବେଳ ଅବେଳରେ ଆମ ଭିତରୁ କେତେକ ଅନ୍ୟର ଦୁଃଖ ଦେଖି ଏକ ବିଚିତ୍ର ଭାବାବେଗରେ ଆକ୍ରାନ୍ତ ହୋଇ ଉଠନ୍ତି ଓ କିଛି ସମୟ ପାଇଁ ନିଜ ସୁଖରୁ କିଛି ଅଂଶ ଦାନ କରି ନିଜକୁ ସାର୍ଥକ ମନେକରନ୍ତି। ଟ୍ରେନ୍ ବା ବସ୍ରେ ନିଜ ସଂରକ୍ଷିତ ସିଟ୍ରେ ବସି ଆରାମରେ ଯାତ୍ରା କରୁଥିଲା ବେଳେ ସିଟ୍ ନ ପାଇ ଛିଡ଼ା ହୋଇ ଯାତ୍ରା କରୁଥିବା କେହି ରୋଗୀ, ବୃଦ୍ଧ ବା ଚିତ୍କାର କରି କାନ୍ଦୁଥିବା ଛୋଟ ଶିଶୁର ମାଆକୁ ନିଜ ସିଟ୍ରେ ବସାଇ ନିଜେ ଛିଡ଼ା ହୋଇ ଯାତ୍ରା କରିବାର କ୍ଳେଶ ଆପଣାଇବାରେ ଯେ ଏକ ସ୍ବତନ୍ତ୍ର ଆନନ୍ଦ ଥାଏ, ଏହା କେବଳ ଅନୁଭବୀଙ୍କୁ ଜଣା। ପୁଣି ରାସ୍ତା ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା କେହି ଅପରିଚିତଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲରେ ଛାଡ଼ିଲେ ଯେଉଁ ଅବ୍ୟକ୍ତ ଆନନ୍ଦ ଉପଲବ୍ଧ ହୁଏ, ତାହାର ସ୍ବାଦ ନିଆରା। ମାତ୍ର ଏସବୁ ହେଉଛି ସୁଖରେ ରହି ସୁଖ ବାଣ୍ଟିବା ପର୍ଯ୍ୟାୟର ଅନୁଭବ। ମାତ୍ର ଅଭାବୀ ଲୋକଟି ଭିତରୁ ଯେତେବେଳେ ଦାନୀ ହରିଶ୍ଚନ୍ଦ୍ରଟିଏ ବାହାରି ଆସେ, ସେତେବେଳେ ଲାଗେ ମାନବୀୟ ସଂସ୍କୃତି ଆଧାରରେ କେତେ ଡେଙ୍ଗା ସେମାନେ ଓ କେଡ଼େ ବାମନ ଅବଶିଷ୍ଟ ଆମେମାନେ।
ଦୁଃଖୀ ମଣିଷର ଦୁଃଖସୁଖ ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡ ମଧ୍ୟରେ ଆସେ ଓ ଚାଲିଯାଏ। ଆଜିର ଦୁଃଖୀ କାଲି ହୁଏତ ଅପର୍ଯ୍ୟାପ୍ତ ସୁଖର ଅଧିକାରୀ ହୋଇପାରେ। ମାତ୍ର ସେ କେବଳ ଏକ ସାର୍ଥକ ଜୀବନର ପରିଚୟ ଦେଇପାରେ, ଯିଏ ଆଜିର ସୁଖରେ ବିଭୋର ନ ହୋଇ ଗତକାଲିର ଦୁଃଖକୁ ମନେପକାଏ ଓ ନିଜ ସୁଖ ସମ୍ବଳ ବିନିଯୋଗ କରି ଦୁଃଖୀଜନଙ୍କ ଦୁଃଖ ମୋଚନ କରିବାକୁ ଆଗେଇଆସେ। ଏହି ପ୍ରସଙ୍ଗରେ ଏବେ ଏବେ ସାରା ରାଜ୍ୟରେ ଢେର ଚର୍ଚ୍ଚିତ ହୋଇଥିବା ଜର୍ମାନୀରେ ରହୁଥିବା ଓଡ଼ିଆ ବୈଜ୍ଞାନିକ ଶେଷ କିଶାନଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ। ରେଢ଼ାଖୋଲର ନିପଟ ମଫସଲରେ ଜନ୍ମ ନେଇ ବାଲ୍ୟକାଳରୁ ନିଜ ମାଆ ବାପାଙ୍କୁ ହରାଇବା ସହିତ ଚରମ ଦାରିଦ୍ର୍ୟ ସହ ଲଢ଼ି ସେ ଏବେ ସଫଳତାର ଶୀର୍ଷତମ ସୋପାନରେ ଉପନୀତ। ମାତ୍ର ଯାବତୀୟ ଦୁଃଖର ଅମା ଅନ୍ଧକାର ଭେଦ କରି ଆଲୋକ ରାଜ୍ୟର ଅଧିବାସୀ ଶେଷ କିଶାନ ନିଜ ସୁଖ ସମ୍ପଦର ପରିଧି ମଧ୍ୟରେ ଆବଦ୍ଧ ନ ରହି ଏବେ ଅନ୍ୟମାନଙ୍କୁ ଯେପରି ସୁଖ ବାଣ୍ଟି ଚାଲିଛନ୍ତି, ନିଜ ଗାଁର ଶହେ ଅଶୀଜଣ ବିଦ୍ୟାର୍ଥୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କୁ ତାଙ୍କ ପରି ଗଢ଼ିବାରେ ଯେମିତି ବ୍ରତୀ ରହିଛନ୍ତି, ତାହା ସୂଚାଇ ଦେଉଛି ଯେ କାଲିର ଦୁଃଖୀ ମଣିଷଟି ସୁଖର ପରିଭାଷାକୁ ଯେମିତି ବୁଝେ, ସେମିତି ବୁଝନ୍ତି ନାହିଁ ନିଜ ପାଇଁ ସୁଖ ସାଉଁଟୁଥିବା ଏ ସଂସାରର ବହୁଭାଗ ମଣିଷ।
ପ୍ରଜ୍ଞା ନିଳୟ
ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫