ପ୍ରୀତିପୁର/ବିଞ୍ଝାରପୁର,୩ା୪ (ଡି.ଏନ.ଏ.): ଦିନେ ରାଜ୍ୟ ବାହାରେ ଦାଦନ ଖଟି ପରିବାର ମୁହଁରେ ଦେଉଥିଲେ ଦାନା। ଆଜି ସେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗ୍ରାମର ସଦାନନ୍ଦ ମଲ୍ଲିକଙ୍କ କ୍ଷେତ୍ରରେ। ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ଝିଅ। ସୁରୁଖୁରୁରେ ଚାଲିଥିଲା ସଂସାର। ହେଲେ ହଠାତ୍ ଦିନେ ସଦାନନ୍ଦଙ୍କୁ ଷ୍ଟ୍ରୋକ ହୋଇଥିଲା। ଏହାପରେ ଶରୀରର ଗୋଟିଏ ପାର୍ଶ୍ୱ ପାରାଲିସିସ୍ ହୋଇଗଲା। ସେ ମେଡିକାଲ ଯାଇ ପରୀକ୍ଷା କରିବାବେଳକୁ ତାଙ୍କର ୨ଟି ଯାକ କିଡ୍ନୀ ଖରାପ ହୋଇଥିବା ଡାକ୍ତର କହିଥିଲେ। ଆଉ ସେବେଠାରୁ ଦୀର୍ଘ ତିନିବର୍ଷ ହେବ ଘର ଦୁଆରେ ବସି ରହିଛନ୍ତି ସଦାନନ୍ଦ। ଗ୍ରାମବାସୀଙ୍କ ସହଯୋଗରେ ଚାଲିଛି ଚିକିତ୍ସା। ସ୍ତ୍ରୀ ସବିତା ମଲ୍ଲିକ କିଡ୍ନୀ ଦେଇ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି। ହେଲେ ସେଥିପାଇଁ ବିପୁଳ ଟଙ୍କାର ଆବଶ୍ୟକତା ରହିଛି। ସେ କେଉଁଠୁ ଏତେ ଟଙ୍କା ଆଣିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ତେଣୁ ସହାୟତା ପାଇଁ ସବିତା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯଦି ସରକାର ଦୟା କରିବେ ତା’ହେଲେ ତାଙ୍କ ସ୍ବାମୀ ଭଲ ହୋଇପାରିବେ ବୋଲି ସେ କହିଛନ୍ତି। ସଦାନନ୍ଦଙ୍କ ମା’ମୀନା ମଲ୍ଲିକ କହିଛନ୍ତି, ପୁଅ ତିନିବର୍ଷ ହେବ ଘରେ ବସି ରହିଛି। ଗଁା ଲୋକ ଯାହା ଆର୍ଥିକ ସହାୟତା ଦେଉଛନ୍ତି ସେଥିରେ ତା’ର ଚିକିତ୍ସା ଚାଲିଛି। ଆମକୁ ସେ ପୋଷୁଥିଲା। ଏବେ ଆମେ ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହୁଛୁ। ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳିନାହିଁ। ଚାଳ ଘରେ ରହୁଛୁ। କୋଉଠୁ ଏତେ ପଇସା ଆଣିବୁ ପୁଅକୁ ଭଲ କରିବାକୁ। ସରକାରଙ୍କୁ ଗୁହାରି କରୁଛି, ଯଦି ସରକାର କିଛି ସାହାଯ୍ୟ କରନ୍ତେ ତା’ ହେଲେ ମୋ ପୁଅ ବଞ୍ଚତ୍ପାରନ୍ତା।