କୀଟପତଙ୍ଗଙ୍କୁ ଅନେକେ ଡରନ୍ତି, ଘୃଣା ବି କରନ୍ତି। ହେଲେ ଇଏ ଏମିତି ଏକ କୀଟ, ଯାହାକୁ ଦେଖିବା ଓ ଟିକେ ଧରିବାକୁ ସମସ୍ତେ ଚାହାନ୍ତି। କାରଣ ଏହା ବହୁତ ସୁନ୍ଦର, ଲାଲ ଭେଲ୍ଭେଟ୍ ପରି ତା’ର ଶରୀର। ଆଖି ଲାଗିଗଲା ଭଳି ଏହି କୀଟକୁ ସମସ୍ତେ ଜାଣନ୍ତି ସାଧବ ବୋହୂ ଭାବରେ। ଏଥର ଜାଣିବା ଏଇ ଲାଲ ଟୁକ୍ ଟୁକ୍ କୀଟ ସମ୍ପର୍କରେ କିଛି..
ବର୍ଷା ଋତୁ ପରେ ଶୀତ ଋତର ଆଗମନ ସମୟରେ ଯେବେ ଘାସ ଉପରେ କାକର ବୁନ୍ଦା ପଡେ ସେତେବେଳେ ଦେଖା ଯାଆନ୍ତି ସାଧବ ବୋହୂ। ଭାରତର ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ନାମରେ ପରିଚିତ। ଯେମିତିକି ରାଜସ୍ଥାନରେ ଏହା ‘ବୁଢି ମାଈ’, ଛତିଶ ଗଡ଼ରେ ‘ରାନୀ କିଡା’, ଉତ୍ତର ଭାରତର ଅନେକ ଭାଗରେ ‘ଭଗବାନ କି ବୁଢିୟା’, ଦକ୍ଷିଣ ଭାରତର ତେଲୁଗୁ ଭାଷାଭାଷୀମାନେ ଏହାକୁ ‘ଅରୁଦ୍ର’ ଓ ତାମିଲରେ ‘ପଟ୍୍ଟୁ ପାପାତି’ କହନ୍ତି। ହରିୟାଣାରେ ଏହାକୁ ‘ତିଜ୍’ କୁହନ୍ତି। ପ୍ରୟାଗ ରାଜ ଉତ୍ତର ପ୍ରଦେଶରେ ଏହା ‘ଭଗବାନ’ ନାମରେ ପରିଚିତ । କିଛି ସ୍ଥାନରେ ଏହା ‘ବୀରବହୂଟି’ ନାମରେ ବି ପରିଚିତ। ଉତ୍ତର ଆମେରିକାର କିଛି ସ୍ଥାନ ଖାସ୍ କରି ଦକ୍ଷିଣ ପଶ୍ଚିମ ଭାଗରେ ବି ଏହି କୀଟ ଦେଖା ଯାଆନ୍ତି। ଏଠାରେ ଏହା ‘ରେନ୍ ବଗ୍’ ନାମରେ ପରିଚିତ। ଏହାର ଆକାର ପ୍ରାୟ ୪ ମି.ମି.ହୋଇଥାଏ। ଏହି ସୁନ୍ଦର ପୋକଟିକୁ ଭାରତରେ ଔଷଧଭାବେ ମଧ୍ୟ ବ୍ୟବହାର କରାଯାଏ। ଏହାର କୁନି ଶରୀରରେ ମସୃଣ ଲାଲ ଲୋମ ଥାଏ, ଯାହାକି ଭେଲଭେଟ୍ ପରି ଲାଗେ। ଏହା ମଣିଷର କୌଣସି କ୍ଷତି କରି ନ ଥାଏ। ଅର୍ଥାତ୍ ଏହା କାମୁଡି ନ ଥାଏ। ତେବେ ତାଙ୍କ ଶରୀରରୁ ନିର୍ଗତ ହେଉଥିବା ଏକ ପ୍ରକାରର ତୈଳୀୟ ପଦାର୍ଥ ପାଇଁ କିଛିଟା ପୋଡିବା ପରି ଅନୁଭବ ହୋଇପାରେ। ଏହା ଉଈ, ଉଡ ଲାଇସ୍, ଛୋଟ ବୁଢିଆଣୀ ଖାଇଥାଏ। ଏହା ତା’ର ଓରାଲ ଟ୍ୟୁବ ମାଧ୍ୟମରେ ଚିକିଟା ମାଟିକୁ ନିଜ ଶୀକାର ଉପରକୁ ଛାଟି ଶୀକାରକୁ କାବୁ କରିଥାଏ। ଏହି ସୁନ୍ଦର କୀଟଟି କିନ୍ତୁ ଏବେ ଆଉ ସେତେଟା ଦେଖିବାକୁ ମିଳୁ ନାହାନ୍ତି।