କ୍ୱିଭ୍,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସାଧାରଣ ଲୋକଙ୍କ ଦୁଃଖ ପୁଣି ବଢ଼ିବାରେ ଲାଗିଛି। ସେମାନଙ୍କ ଦୁଃଖ ଉପରେ ଦୁଃଖ ବଢୁଛି। ଘରଛାଡ଼ି ଶରଣାର୍ଥୀ ସାଜିଥିବା ଲୋକମାନେ ମାନବ ଚୋରା ଚାଲାଣର ଶିକାର ହେଉଛନ୍ତି। ମହିଳାମାନଙ୍କୁ ଧରିନେଇ ରେଡ୍ ଲାଇଟ୍ ଅଞ୍ଚଳରେ ବୈଶ୍ୟାବୃତ୍ତି ପାଇଁ ବାଧ୍ୟ କରାଯାଉଥିବାବେଳେ ଅନ୍ୟ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ କାଢ଼ି ନିଆଯାଉଥିବା ଅଭିଯୋଗ ହେଉଛି।
ଜୀବନ ଭୟରେ ୟୁକ୍ରେନରୁ ପଳାୟନ କରୁଥିବା ମହିଳା ଏବଂ ଶିଶୁ ମାନବ ଚାଲାଣର ଶିକାର ହେଉଛନ୍ତି। ୟୁକ୍ରେନ ନିକଟରେ ଥିବା ପୋଲାଣ୍ଡ, ରୋମାନିଆ, ମଲଡୋଭା, ହଙ୍ଗେରୀ ଏବଂ ସ୍ଲୋଭାକିଆର ଶରଣାର୍ଥୀ ଶିବିରରେ ମାନବ ଚାଲାଣକାରୀମାନେ ବ୍ୟାପକ ଭାବରେ ସକ୍ରିୟ ହୋଇଛନ୍ତି। ସେମାନେ ଶରଣାର୍ଥୀ ମହିଳା ଏବଂ ଶିଶୁମାନଙ୍କୁ ଫାନ୍ଦରେ ପକାଉଛନ୍ତି। ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଛି। ମିଳିତ ଜାତିସଂଘର ଶରଣାର୍ଥୀ ଉଚ୍ଚ ଆୟୋଗ କହିଛି ଯେ ଶରଣାର୍ଥୀଙ୍କ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି।
ସୀମାନ୍ତରେ ହଜାର ହଜାର ଲୋକ ସାହାଯ୍ୟ ପାଇଁ ଛିଡା ହୋଇଛନ୍ତି। ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ମୋଲଡୋଭା ଏବଂ ସ୍ଲୋଭାକିଆରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଏବଂ ସ୍ବେଚ୍ଛାସେବୀ ଶରଣାର୍ଥୀଙ୍କ ସେବା ପାଇଁ ଏକତ୍ରିତ ହେଉଛନ୍ତି। ମହିଳାଙ୍କୁ ।
ରେଡଲାଇଟ ଅଞ୍ଚଳକୁ ଦଲାଲମାନେ ପଠାଇଦେଉଥିବାବେଳେ ଅନ୍ୟ କେତେକଙ୍କୁ ବେଆଇନ ଖଣିରେ ଗୋତି ଶ୍ରମିକଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି।
ସେହିପରି ଶରଣାର୍ଥୀଙ୍କୁ ଧନୀ ଲୋକଙ୍କୁ ବିକ୍ରି କରାଯାଉଛି। ଏହା ସହିତ ଶରୀରର ଅଙ୍ଗ ବିକ୍ରୟ କରିବା କାର୍ଯ୍ୟ ମଧ୍ୟ ଜାରି ରହିଥିବା ଜାତିସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। କିଛି ଲୋକଙ୍କୁ ଜବରଦସ୍ତ ଭିକ ମାଗିବା କାର୍ଯ୍ୟରେ ନିୟୋଜିତ କରାଯାଉଛି।
ଇତିମଧ୍ୟରେ ୨୫ ଲକ୍ଷ ଶରଣାର୍ଥୀ ୟୁକ୍ରେନ୍ରୁ ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷରୁ ଅଧିକ ପିଲା ଅଛନ୍ତି। ଏହା ୟୁରୋପରେ ଏକ ମାନବିକ ସଙ୍କଟ ସୃଷ୍ଟି କରିଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ରୁତତମ ମାନବ ସ୍ଥାନାନ୍ତରଣ ବୋଲି ଜାତିସଂଘ କହିଛି।