ସୁରକ୍ଷାକବଚ

ଡ. ଅଜୟ କୁମାର ପାତ୍ର

ଓଜୋନ (O3) ଗୋଟିଏ ଅଣୁରେ ତିନୋଟି ପରମାଣୁ ଥିବା ତୀବ୍ର କିନ୍ତୁ ଉଦ୍ଦୀପକ ଗନ୍ଧ ଥିବା ଘନୀଭୂତ ଅସ୍ଥାୟୀ ଅମ୍ଳଜାନ। ପକ୍ଷାନ୍ତରେ କୁହାଯାଇପାରେ, ଏହା ସମୁଦ୍ର ତଟର ଉଦ୍ଦୀପକ ପବନ ଓ ମହାକାଶର ପରମ ଉପକାରୀ ସର୍ବୋତ୍କୃଷ୍ଟ ବାୟୁ। ବାସ୍ତବିକ ଓଜୋନ ଏପରି ଏକ କୌତୂହଳପୂର୍ଣ୍ଣ ବାୟୁ ଯାହାର ପ୍ରତିକୂଳ ପ୍ରଭାବ ପୃଥିବୀପୃଷ୍ଠରେ ଅନୁଭୂତ ଓ ଅନୁକୂଳ ପ୍ରଭାବ ମହାକାଶରେ ପରିଲକ୍ଷିତ ହୁଏ। ହେଲେ ଏହାର ପ୍ରତିକୂଳ ପ୍ରଭାବଠାରୁ ଅନୁକୂଳ ପ୍ରଭାବ ସହସ୍ର ଗୁଣରେ ଅଧିକ। ଯଦି ଆମ ପୃଥିବୀର ବାୟୁମଣ୍ଡଳର ଊର୍ଦ୍ଧ୍ୱରେ ଓଜୋନ ସ୍ତର ନ ଥାନ୍ତା ତା’ହେଲେ ପୃଥିବୀ ନଥାନ୍ତା କି ଜୀବନ ନଥାନ୍ତା। ସେଇଥିପାଇଁ ଯଥାର୍ଥରେ କୁହାଯାଏ ଓଜୋନ ସ୍ତର ହେଉଛି ପୃଥିବୀର ସୁରକ୍ଷାକବଚ। ଜଳ, ସ୍ଥଳ ଓ ଆକାଶ ଚତୁର୍ଦ୍ଦିଗରେ ଓଜୋନର ଅବଦାନ ପ୍ରତିଫଳନ। ମହାପୁରୁଷମାନେ କହିଛନ୍ତି, ପୃଥିବୀ ହେଉଛି ବାୟୁମଣ୍ଡଳର ଶ୍ରେଷ୍ଠ ଗ୍ରନ୍ଥ। ଯେଉଁ ଗ୍ରନ୍ଥ ପରୋକ୍ଷରେ ପ୍ରତି ମୁହୂର୍ତ୍ତରେ ଲେଖାଚାଲିଛି। ସେହି ମହାନ୍‌ ଗ୍ରନ୍ଥ ମନୁଷ୍ୟକୁ ଜୀବଜଗତ ସମ୍ପର୍କରେ ଯାବତୀୟ ଜ୍ଞାନ ଦେଇଥାଏ। ଆସନ୍ତୁ ଜାଣିବା ଏହି ସୁରକ୍ଷାକବଚର ଇତି ଓ ଇତିହାସ।
ଆମର ଏହି ବାୟୁମଣ୍ଡଳ ମୁଖ୍ୟତଃ ଚାରି ଶ୍ରେଣୀରେ ବିଭକ୍ତ ଯଥା: (୧) ଟ୍ରୋପୋସ୍ଫିୟର: ପୃଥିବୀ ପୃଷ୍ଠରୁ ପ୍ରାୟ ୧୧ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଯାହାକୁ ନିମ୍ନତମ ପବନ ସ୍ତର କୁହାଯାଏ। (୨) ଷ୍ଟ୍ରାଟୋସ୍ଫିୟର ବା ଓଜୋନସ୍ଫିୟର: ପୃଥିବୀପୃଷ୍ଠର ୧୨ କି.ମି.ଠାରୁ ୫୦କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ସମତାପ ମଣ୍ଡଳ, (୩) ମେସୋସ୍ଫିୟର: ପୃଥିବୀପୃଷ୍ଠର ୫୧କି.ମି. ଠାରୁ ୮୫କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ସ୍ଥିରତାପ ମଣ୍ଡଳ ଓ (୪) ଥର୍ମୋସ୍ଫିୟର: ପୃଥିବୀ ପୃଷ୍ଠର ୮୬କି.ମି.ଠାରୁ ୫୦୦ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ସ୍ବୟଂ ତାପ ନିୟନ୍ତ୍ରଣ ମଣ୍ଡଳ। ଓଜୋନ ବାୟୁମଣ୍ଡଳର ଏକପ୍ରକାର କ୍ଷୁଦ୍ରତର ତଥା ଗୌଣ ଉପାଦାନ। ବାୟୁ ମଣ୍ଡଳରେ ଏହାର ଅବସ୍ଥିତି ପ୍ରାୟ ଏକ ନିୟୁତାଂଶର ଏକ ଭାଗରୁ କମ୍‌; ଏପରିକି ଅଙ୍ଗାରକାମ୍ଳଠାରୁ ଯଥେଷ୍ଟ କମ୍‌। ସୁଖର ବିଷୟ ସମୁଦାୟ ଓଜୋନର ୯୦ପ୍ରତିଶତ ଓଜୋନ୍‌ସ୍ଫିୟରରେ ଓ ମାତ୍ର ୧୦ପ୍ରତିଶତ ଟ୍ରୋପୋସ୍ଫିୟରରେ ଘନୀଭୂତ।
ଓଜୋନର ମୂଳବସ୍ତୁ ହେଉଛି ଏକକ ପରମାଣୁ ଅମ୍ଳଜାନ। ଯଥେଷ୍ଟ ସଂଖ୍ୟାର ଏକକ ପରମାଣୁ ଅମ୍ଳଜାନ ଓ ଅମ୍ଳଜାନ, ଆଲୋକ ସ୍ପେକ୍ଟ୍ରମ ବିକିରଣ ମାଧ୍ୟମରେ ରାସାୟନିକ ପ୍ରକ୍ରିୟାରେ ଓଜୋନ ସୃଷ୍ଟି ହୋଇଥାଏ। ଏହାର ପ୍ରସ୍ତୁତୀକରଣ ନିମନ୍ତେ ଦରକାର ଅଧିକ ତାପମାତ୍ରା, ଯାହାକି ଓଜୋନ୍‌ ସ୍ତରରେ ରହିଛି।
ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କଠାରୁ ଅହରହ ନିର୍ଗତ ହେଉଥିବା ଆଲୋକ ସ୍ପେକ୍ଟ୍ରମ ବିକିରଣ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ ଯଥା: ୟୁ.ଭି.-କ, ୟୁ.ଭି.-ଖ ଓ ୟୁ.ଭି.-ଗ। ଉପରଲିଖିତ ମଧ୍ୟରୁ ୟୁ.ଭି.-ଖ ବିକିରଣ ପୃଥିବୀ ବା ପୃଥିବୀବାସୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ। ଉକ୍ତ କ୍ଷତିକାରକ ରଶ୍ମି ତରଙ୍ଗ(ୟୁ.ଭି-ଖ)କୁ ନୀଳ କଣ୍ଠଧାରୀ ମହାଦେବ ବିଷପାନ କରି ଦେବଗଣଙ୍କୁ ବିଷମୁକ୍ତ କଲାଭଳି, ଓଜୋନ ମଧ୍ୟ ଗ୍ରହଣ କରି ଯୁଗ ଯୁଗ ଧରି ପୃଥିବୀବାସୀଙ୍କୁ ବିରାଟ ତଥା ଭୟାନକ ବିପଦରୁ ରକ୍ଷାକରି ଆସିଛି। ଓଜୋନର ଏକ ସର୍ବଶ୍ରେଷ୍ଠ ଗୁଣ ହେଲା ଯେ ସୂର୍ଯ୍ୟଙ୍କଠାରୁ ବିକିରଣ ସମସ୍ତ ପ୍ରକାର କ୍ଷତିକାରକ କ୍ଷୁଦ୍ର ରଶ୍ମି ତରଙ୍ଗକୁ ଅବଶୋଷଣ କରି ପୃଥିବୀର ବାୟୁମଣ୍ଡଳ(ଟ୍ରୋପୋସ୍ଫିୟର)କୁ ପ୍ରବେଶ କରିବାକୁ ଦିଏ ନାହିଁ। ଅର୍ଥାତ୍‌ ଓଜୋନ୍‌ ସ୍ତର କ୍ଷୁଦ୍ର ଦୈର୍ଘ୍ୟ ବିଶିଷ୍ଟ ୟୁ.ଭି. ବିକିରଣକୁ ଅବଶୋଷଣ କରେ ଏବଂ କ୍ଷୁଦ୍ର ବିକିରଣ ତରଙ୍ଗକୁ ପୃଥିବୀପୃଷ୍ଠରେ ସ୍ପର୍ଶ କରିବାକୁ ଦିଏ ନାହିଁ। ପୃଥିବୀପୃଷ୍ଠରେ ଯଦି ଜୀବ ଓ ଜୀବିକା ବିକଶିତ ହୋଇ ପାରୁଛି ତାହା କେବଳ ଓଜୋନ୍‌ ସ୍ତରର ଅକୃତ୍ରିମ ଅବଦାନ ଯୋଗୁ। କାରଣ ଉପଗ୍ରହ ଚନ୍ଦ୍ର ଓ ସୌର ପରିବାରର ଅବଶିଷ୍ଟ ଆଠଟି ଗ୍ରହର ଊର୍ଦ୍ଧ୍ୱ ମହାକାଶରେ ଓଜୋନ୍‌ ସ୍ତର ନ ଥିବା ଯୋଗୁ ସେଠାରେ ଜୀବସତ୍ତା ନାହିଁ। ଓଜୋନ ସ୍ତରକୁ ପୃଥିବୀର ସଦିଚ୍ଛା ଛତା ବୋଲାଯାଏ।
ଓଜୋନ୍‌ ସ୍ତର କ୍ଷୟର ମୂଳ କାରଣ ହେଲା ବାୟୁମଣ୍ଡଳର ପ୍ରଦୂଷଣ। ବିକାଶ ନାମରେ ମନୁଷ୍ୟ ଯେତେସବୁ ରାସାୟନିକ ପଦାର୍ଥ ଉଦ୍ଭାବନ କରି ବ୍ୟବହାର କରୁଛି ସେ ସବୁ କାଳକ୍ରମେ ଆମର ବାୟୁମଣ୍ଡଳକୁ ଭେଦକରି ଓଜୋନ୍‌ ସ୍ତରରେ ପ୍ରବେଶ କରୁଛି ଓ ଓଜୋନ୍‌ର ଗାଢ଼ତାକୁ ହ୍ରାସ କରୁଛି। ସେଥିମଧ୍ୟରେ ରହିଛି ‘ସବୁଜ ଗୃହ ବାଷ୍ପ’ ଯଥା: ଅଙ୍ଗାରକାମ୍ଳ ,ମିଥେନ, ସିଏଫ୍‌ସି (କ୍ଲୋରୋ ଫ୍ଲୁରୋ କାର୍ବନ), ସିଏଫ୍‌ଏମ୍‌ (କ୍ଲୋରୋ ଫ୍ଲୁରୋ ମିଥେନ) ତଥା ଅକ୍ସାଇଡ୍‌ ଅଫ୍‌ କାର୍ବନ, ଅକ୍ସାଇଡ୍‌ ଅଫ୍‌ ନାଇଟ୍ରୋଜେନ, ଅକ୍ସାଇଡ୍‌ ଅଫ୍‌ ସଲ୍‌ଫର। ଉକ୍ତ ଦୂଷିତ ଓଜୋନ୍‌ କ୍ଷୟକାରୀ ପଦାର୍ଥର ଉତ୍ସ ହେଲା, ଅତ୍ୟଧିକ ମାତ୍ରାରେ ଜଙ୍ଗଲ କ୍ଷୟ, ଜାଳେଣି କାଠ ବ୍ୟବହାର, ଶିଳ୍ପାୟନ, ଜଙ୍ଗଲପୋଡ଼ି ତଥା ଶୀତଳୀକରଣ ଯଥା: ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ ରେଫ୍ରିଜରେଟର ବ୍ୟବହୃତ ସିଏଫସି ଓ ସିଏଫ୍‌ଏମ୍‌ ଗ୍ୟାସ। ବିଶ୍ୱ ବର୍ଦ୍ଧିତ ତାପ ମଧ୍ୟ ଓଜୋନ ସ୍ତର କ୍ଷୟର ଅନ୍ୟ ଏକ କାରଣ।
ଚିକାଗୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ମତରେ ପୃଥିବୀପୃଷ୍ଠରେ ୟୁ.ଭି.-ଖ ବିକିରଣର ପ୍ରାଦୁର୍ଭାବ: ୧. ପୃଥିବୀର ଜଳଭାଗରେ ଥିବା ଖାଦ୍ୟଶୃଙ୍ଖଳ ଓ ଖାଦ୍ୟଜାଲର ଘୋର କ୍ଷତି ଘଟିବ ଓ ତା’ସହିତ ଜଡ଼ିତ ସମସ୍ତ ଜଳ ଜୀବର ଜୀବନ ପ୍ରଣାଳୀରେ ଘୋର ବିପତ୍ତି ସୃଷ୍ଟି ହେବ। ୨. ଏକ ପ୍ରତିଶତ ଓଜୋନ୍‌ ଗାଢ଼ତା ହ୍ରାସ ଘଟିଲେ ଏକ ବର୍ଷରେ ଦଶହଜାର ଚର୍ମକର୍କଟ ରୋଗ ସୃଷ୍ଟି ହେବ। ୩. ବହୁଳ ସଂଖ୍ୟାରେ ଅନ୍ଧତ୍ୱ, କ୍ଷୁଧା, କୋଷ ଅସ୍ବାଭାବିକତା, ବନ୍ଧ୍ୟାତ୍ୱ କାରଣରୁ ପୃଥିବୀ ଜନମାନବ ଶୂନ୍ୟ ହୋଇପଡ଼ିବ। ସମସ୍ତ ଜୀବଜଗତ ଧ୍ୱଂସ ପାଇବ। ୪. କୃଷି କ୍ଷେତ୍ରରେ କୃଷିଜାତ ଦ୍ରବ୍ୟର ଅଭିବୃଦ୍ଧି, ଗଠନ, କାର୍ଯ୍ୟାବଳୀ ତଥା ଆଲୋକ ଭାଶ୍ଳେଷଣ ପ୍ରକ୍ରିୟାରେ ଘୋର ବାଧା ସୃଷ୍ଟି ହେବ। ୫. ଓଜୋନ ସ୍ତରର କ୍ଷୟ ଘଟିଲେ ଅଧିକରୁ ଅଧିକତର କ୍ଷୁଦ୍ର ବିକିରଣ ତରଙ୍ଗ ପୃଥିବୀପୃଷ୍ଠରେ ପ୍ରବେଶ କରିବ। ଫଳରେ ବିଶ୍ୱ ତାପମାତ୍ରା ଏତେ ପରିମାଣରେ ବୃଦ୍ଧି ପାଇବ ଯେ, ପୋଖରୀ, ନଦୀ, ଝରଣା, ହ୍ରଦର ପାଣି ୬୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ହୋଇ ଉତ୍ତପ୍ତ ହୋଇଯିବ। ପୃଥିବୀ ଏକ ରୁଦ୍ଧ କୋଠରି ସଦୃଶ ପାଲଟିବ। ସ୍ଥଳଭାଗ ଜୀବଶୂନ୍ୟ ହୋଇଯିବ। ପୃଥିବୀର ୨୦ ପ୍ରତିଶତ ଧନୀ ପରିବାର ସିନା ସାଗର ତଳେ ଗୃହ ନିର୍ମାଣ କରି ସ୍ଥଳଭାଗର କଠୋର ଉତ୍ତାପରୁ ବଞ୍ଚି ଯାଇପାରିବେ ହେଲେ ଆଉ ୮୦ ପ୍ରତିଶତ ଗରିବ ଶ୍ରେଣୀର ମଣିଷ ତ ଅସୁମାରି ସ୍ଥଳସ୍ଥିତ ବୃକ୍ଷଲତା, ଜୀବଜନ୍ତୁ ନିଶ୍ଚେ ଡହଳ ବିକଳ ହୋଇ ଅସମୟରେ ମୃତ୍ୟୁ ଲାଭ କରିବେ। ୬. ସମସ୍ତେ ଜାଣନ୍ତି ଯେ ଓଜୋନ୍‌ ବାଷ୍ପର ମୁଖ୍ୟ ଉପତ୍ତ୍ତି ସୂର୍ଯ୍ୟଙ୍କଠାରୁ ହୋଇଥାଏ। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସ୍ଥଳଭାଗରେ ଥିବା ଜଳପୂର୍ଣ୍ଣ ଜଳଯୁକ୍ତ ବା ଧନଯୁକ୍ତ ସନ୍ତସନ୍ତିଆ ଅଞ୍ଚଳରେ ଉପତ୍ନ ହେଉଥିବା ମିଥେନ ଗ୍ୟାସ୍‌ ପ୍ରଚୁର ପରିମାଣରେ ଓଜୋନ୍‌ ସୃଷ୍ଟି କରେ। ଏକ ଅଣୁ ବିଶିଷ୍ଟ ମିଥେନ ପ୍ରାୟ ତିନି ଅଣୁ ବିଶିଷ୍ଟ ଓଜୋନ୍‌ ସୃଷ୍ଟି କରେ। ଓଜୋନ୍‌ ସିନା ଓଜୋନ୍‌ ସ୍ତରରେ ଆମର ଅତ୍ୟନ୍ତ ହିତାକାଂକ୍ଷୀ ହେଲେ ସ୍ଥଳଭାଗରେ ଆମର ପରମ ଶତ୍ରୁ ସାଜି ଜଙ୍ଗଲ ଧ୍ୱଂସ କରିବା, କୃଷି ଉପତ୍ାଦନ ଶକ୍ତି କମାଇବା ଆଦି ଅନେକ କ୍ଷତି କରାଏ। ବ୍ରିଟିଶ ଆଣ୍ଟାର୍କଟିକା ଜଳଯାତ୍ରା ଅଭିଯାନକାରୀ ବୈଜ୍ଞାନିକମାନେ ଓଜୋନ ସ୍ତରରେ ଗର୍ତ୍ତ ଉତ୍ତରମେରୁ, ଦକ୍ଷିଣମେରୁରେ ଏପରିକି ଭାରତର ବେଙ୍ଗାଲୁରୁ ଆକାଶରେ ଠାବ କରିଛନ୍ତି,
ସଂଯୁକ୍ତ ଜାତୀୟ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଓଜୋନ୍‌ ସ୍ତରର ସୁରକ୍ଷା ନିମନ୍ତେ ନୀତି ଓ ନିୟମ ଧାର୍ଯ୍ୟ କରିଛନ୍ତି: (୧) ଓଜୋନ୍‌ ସ୍ତରର କ୍ଷୟକାରୀ ରାସାୟନିକ ପଦାର୍ଥ ଯଥା: ମିଥେନ୍‌, ଅଙ୍ଗାରକାମ୍ଳ, ସିଏଫ୍‌ସି ଓ ସିଏଫଏମ୍‌ ଗ୍ୟାସର ହ୍ରାସ କରିବା, ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା, ସ୍ଥଳଭାଗକୁ ସମସ୍ତ ପ୍ରକାର ପ୍ରଦୂଷଣରୁ ମୁକ୍ତ ରଖିବା। (୨) ଉପରୋକ୍ତ ଗ୍ୟାସର ବିକଳ୍ପ ସୃଷ୍ଟି କରିବା, ଯାହାକି ପ୍ରଦୂଷଣ ମୁକ୍ତ ହୋଇଥିବ। (୩) ଯୁଦ୍ଧଖୋର ମନୋଭାବରୁ ସମ୍ପୂର୍ଣ୍ଣ ଦୂରେଇଯାଇ ଏକ ଶାନ୍ତି, ମୈତ୍ରୀ ଓ ସଂହତିର ପୃଥିବୀ ସୃଷ୍ଟି କରିବା ସହିତ ଜନସଚେତନତା ଜରୁରୀ। ଏବେ ସମୟ ଆସିଛି ପୃଥିବୀମାତାର ଦୁଃଖ ବୁଝିବା ପାଇଁ। ଆମେ ଚାହିଁଲେ ପୃଥିବୀକୁ ତା’ର ମୂଳ ସ୍ବରୂପରେ ରଖିପାରିବା।
ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri