ପାରଳାଖେମୁଣ୍ଡି, ୧୧।୧ (ଡି.ଏନ୍.ଏ): ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡିର ପ୍ରଜାବତ୍ସଳ ଶାସକମାନେ ଅଞ୍ଚଳର ବିକାଶ ପାଇଁ ସାଗର ଯୋଜନା ମାଧ୍ୟମରେ ୫ଟି ବୃହତ ସାଗର ଖୋଳିଥିଲେ। ଏହି ୫ଟି ସାଗର ଯଥା ରାମ ସାଗର, ସୀତା ସାଗର, ଲକ୍ଷ୍ମଣ ସାଗର, କୃଷ୍ଣ ସାଗର, ଗଜପତି ସାଗର ବର୍ଷ ବର୍ଷ ଧରି ହଜାର ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଚାଷୀଙ୍କୁ ବାରମାସୀ ଫସଲ ଉତ୍ପାଦନରେ ସାହାଯ୍ୟ କରିବା ସହିତ ମତ୍ସ୍ୟଜୀବୀଙ୍କ ପେଟପାଟଣା ତଥା ଗୁଜାରଣ ମେଣ୍ଟାଉଥିଲା। ରାଜ୍ୟ ସରକାରଙ୍କ ଅଣଦେଖା, ଉଦାସୀନତାରୁ ସେଗୁଡ଼ିକ ପଙ୍କ ମାଟି, ଘାସ ବୁଦା ଓ ଦଳରେ ପୋତି ହୋଇଗଲାଣି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ତତ୍କାଳୀନ ପାରଳା ଶାସକମାନେ ଚାଷୀଙ୍କ ସୁବିଧା ତଥା ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ଯୋଜନା କରି ପାଞ୍ଚୋଟି ବୃହତ ସାଗର ଖୋଳିଥିଲେ ଏବଂ ଏଗୁଡ଼ିକ ମହେନ୍ଦ୍ରତନୟା ନଦୀ ସହ କେନାଲ ସଂଯୋଗ କରିଥିଲେ। ଏସବୁ ଯୋଜନା ଏତେ ଉଚ୍ଚକୋଟୀର ଥିଲା ଯେ ନଦୀର ଅଧିକ ଜଳ କେନାଲ ମାଧ୍ୟମରେ ଚାଷଜମିକୁ ମାଡ଼ିବ ଓ ସାଗର ସବୁ ଭର୍ତ୍ତି ହୋଇ ପୁଣି ତଳେ ଥିବା ଚାଷଜମିକୁ ଜଳ ଯୋଗାଇବ। ପରେ ବଳକା ପାଣି ନଦୀରେ ମିଶିବ। ଖାଲି ଯେ ହଜାର ହଜାର ଚାଷୀ ଏଥିରେ ଉପକୃତ ହେଉଥିଲେ ତାହା ନୁହେଁ, ଶତାଧିକ ମତ୍ସ୍ୟଜୀବୀ ମଧ୍ୟ ଜୀବନ ଜୀବିକା ନିର୍ବାହ କରୁଥିଲେ। ଏହା ସହିତ ସ୍ଥାନୀୟ ଜନସାଧାରଣ ପାନୀୟ ଜଳ ସହିତ ଆମୋଦ ପ୍ରମୋଦ ପାଇଁ ବ୍ୟବହାର କରୁଥିଲେ। ଜଳସେଚନ ବିଭାଗ ତଥା ରାଜ୍ୟ ସରକାରଙ୍କ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏ ୫ଟି ସାଗର ବିଲୁପ୍ତ ହେବାକୁ ବସିଲାଣି।
ବହୁବର୍ଷ ପୂର୍ବେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ରାମସାଗର କିଛି ମରାମତି କରାଯାଇଥିଲା, ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ସହର ଉପକଣ୍ଠରେ ଥିବା ରାମ ସାଗର ଓ ସୀତା ସାଗରରେ ଲୋକେ କୁଢ କୁଢ ଅଳିଆ ଆବର୍ଜନା ଆଣି ଫୋପାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣ। ପ୍ରାତଃ ଭ୍ରମଣ ଓ ସନ୍ଧ୍ୟାରେ ଆମୋଦ ପ୍ରମୋଦ ପାଇଁ ଆଉ ଏଠାକୁ କେହି ଆସୁନାହାନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀ ପି. ଜଗନ୍ନାଥ କହିଛନ୍ତି, ରାମ ସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଟ୍ରିପଲ୍ ଆର ଯୋଜନାରେ ଅର୍ଥ ମଞ୍ଜୁର ହୋଇଛି, କିନ୍ତୁ ଟେଣ୍ଡର ହୋଇନାହିଁ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସାଗର ଓ କେନାଲ ଗୁଡ଼ିକର ରିନୋଭେଶନ ହେବ।
ଗିରିଧାରୀ ପରିଚ୍ଛା