Categories: ଖେଳ

ସାହାଣୀ କପ୍‌: ସୁନ୍ଦରଗଡ଼, ବରଗଡ଼ ବିଜୟୀ

ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର ୨ଟି କ୍ୱାର୍ଟର ଫାଇନାଲ ଲିଗ୍‌ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଓ ବରଗଡ଼ ଦଳ ବିଜୟୀ ହୋଇଛନ୍ତି। କଟକ ଚୌଦ୍ୱାରସ୍ଥିତ ଓଟିଏମ୍‌ ଗ୍ରାଉଣ୍ଡରେ ସୁନ୍ଦରଗଡ଼ ୨-୦ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଆରମ୍ଭରୁ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ବିଜୟୀ ଦଳ ପକ୍ଷରୁ ଆକାଶ ବେକ୍‌ ୫୩ ଓ ମହେଶ ପ୍ରଧାନ ୬୭ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ବରଗଡ଼ ୫-୧ ଗୋଲରେ ବୌଦ୍ଧକୁ ହରାଇ ଦେଇଛି। ବରଗଡ଼ ପକ୍ଷରୁ ଫ୍ରାନ୍ସିସ୍‌ ଲାକ୍ରା ୩୭ ଓ ୫୨ ଏବଂ ପ୍ରଭାତ ଦନସେନା ୬୪ ଓ ୭୬ତମ ମିନିଟ୍‌ରେ ୨ଟି ଲେଖାଏ ଗୋଲ ଦେଇଥିଲେ। ବୌଦ୍ଧ ପକ୍ଷରୁ ଦେବାଶିଷ ବେହେରା ୧୩ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିବାବେଳେ ସୁଶାନ୍ତ ଦଳେଇ ୧୯ତମ ମିନିଟ୍‌ରେ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ସୋମବାର କ୍ୟାପିଟାଲ ଗ୍ରାଉଣ୍ଡରେ କଟକ-କନ୍ଧମାଳ ଏବଂ ଓଟିଏମ୍‌ ଗ୍ରାଉଣ୍ଡରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ-ଖୋର୍ଦ୍ଧା ମଧ୍ୟରେ ମ୍ୟାଚ୍‌ ହେବ।

Share