ନୂଆଦିଲ୍ଲୀ,୧୩।୩: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ପାଟନା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ଯେ ସାହାରା ଗ୍ରୁପ୍ କମ୍ପାନିଜ୍ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ସେବି ପାଖରେ ଜମା ରାଶି ୨୪,୦୦୦ କୋଟି ଟଙ୍କାରୁ ଅଧିକ ପଡ଼ିରହିଛି। ମାତ୍ର ନିବେଶକମାନଙ୍କୁ ସେବି ଟଙ୍କା ଫେରାଉନାହିଁ ଏବଂ ତାହା ବ୍ୟବହୃତ ନ ହୋଇ ପଡ଼ିରହିଛି। ଗତ ୯ବର୍ଷ ଭିତରେ ସେବି ପକ୍ଷରୁ ନିବେଶକମାନଙ୍କୁ ମାତ୍ର ୧୨୮କୋଟି ଟଙ୍କା ଫେରସ୍ତ କରାଯାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ରାୟରେ ସାହାରା ଗ୍ରୁପ୍ କମ୍ପାନିଜ୍ର ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୌଣସି କଟକଣା ଲଗାଇ ନ ଥିଲେ। ସେହିପରି ପାଟନା ହାଇକୋର୍ଟ ସମନ ଜାରି କରିବା ପରେ ସାହାରା ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ ପ୍ରସାଦ ସିଂହ କୋର୍ଟରେ ହାଜର ହୋଇ ଲିଖିତ ଭାବେ ଏହା ଜଣାଇଛନ୍ତି। କୋର୍ଟରେ ବିତର୍କ ବେଳେ ଏହା ମଧ୍ୟ ଅବଗତ କରାଯାଇଛି ଯେ ସାହାରାର ଯେଉଁ ଦୁଇ କମ୍ପାନୀରେ ନିବେଶ ଯୋଗୁ ତାହାର ଖାତାକୁ ସୁପ୍ରିମକୋର୍ଟ ନିଷ୍କ୍ରିୟ କରିଥିଲେ ସେହି ଦୁଇ ସଂସ୍ଥା ବ୍ୟତୀତ ସାହାରା ଗ୍ରୁପ୍ କମ୍ପାନିଜ୍ର ଅନ୍ୟ କୌଣସି ସଂସ୍ଥା କିମ୍ବା ସୋସାଇଟିର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କିମ୍ବା କୌଣସି ଅନ୍ୟ କୋର୍ଟ ସେବିକୁ କହିନାହାନ୍ତି। ସେ ଏହା ମଧ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ ଲକ୍ଷ୍ନୌ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ରିଟ୍ ପିଟିଶନରେ ସେବି ନିଜେ ପ୍ରକାଶ କରିଥିଲା ଯେ ସାହାରା କ୍ୟୁ ସପ୍ ସମେତ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରିବାରେ ସାହାରାଠାରୁ ସଂଗ୍ରହ କରାଯାଇଥିବା ଟଙ୍କାକୁ ବ୍ୟବହାର କରାଯିବ। ଯଦି କୌଣସି ପ୍ରକାରେ ଟଙ୍କା ଫେରସ୍ତ ହୋଇ ନ ପାରିବ ତେବେ ସେହି ଟଙ୍କା ସାହାରାକୁ ଫେରାଇ ଦିଆଯିବ। ସେବିର ଏଭଳି ସତ୍ୟପାଠ ଏବଂ ୨୦୧୨ ଡିସେମ୍ବର ୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ବଳକା ଟଙ୍କାକୁ ସେବି ପକ୍ଷରୁ ସାହାରାକୁ ଫେରସ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲେ ମଧ୍ୟ ସେବି ନିବେଶକଙ୍କୁ ଟଙ୍କା ଫେରସ୍ତ କରୁନାହିଁ ଓ ସାହାରାକୁ ମଧ୍ୟ ଟଙ୍କା ଫେରାଉ ନାହିଁ। ଏବେ ସେବି ପାଖରେ ଗୋଟିଏ ବିକଳ୍ପ ରହିଛି ତାହା ହେଉଛି ନିବେଶକଙ୍କୁ ଟଙ୍କା ଫେରସ୍ତ କରୁ ଅନ୍ୟଥା ସବୁ ଟଙ୍କା ସାହାରାକୁ ଫେରାଉ। ସାହାରାର ଆଇନଜୀବୀ ବାଢ଼ିଥିବା ଯୁକ୍ତିକୁ ନେଇ ସେବିର ଆଇନଜୀବୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ୨୦୨୨ ମାର୍ଚ୍ଚ ୨୫ ସୁଦ୍ଧା ନିଜର ପ୍ରତିକ୍ରିୟା ରଖିବା ଲାଗି ସେବିକୁ ସୁପ୍ରିମକୋର୍ଟ କହିଛନ୍ତି। ମାନ୍ୟବର ହାଇକୋର୍ଟ ଯେଉଁସବୁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ଦେବା ଲାଗି ମୁମ୍ବାଇ ସେବିର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ୨୮ ମାର୍ଚ୍ଚରେ କୋର୍ଟରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି।