ଗଞ୍ଜାମ,୧୦ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ସାହେବ କେନାଲ ପ୍ରାୟ ୧୨ କିଲୋମିଟର ଲମ୍ବିଛି। ଏହି କେନାଲକୁ ବେଆଇନ ଭାବେ ଅବରୋଧ କରାଯାଉଥିବାରୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ନେଇ ଚିଲିକା ହ୍ରଦ ଓ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ମତ୍ସ୍ୟଜୀବୀ ଚିନ୍ତିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ପ୍ରଶାସନ ଏ ନେଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଫଳରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଘୋର ଉଦ୍ବେଗ ପ୍ରକାଶ ପାଇଛି। ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ସେତୁ ନିକଟରୁ ଚିଲିକା ମଧ୍ୟରେ ଅନେକ ସ୍ଥାନରେ ଜାଲ ଦ୍ୱାରା କେନାଲକୁ ଅବରୋଧ କରି ମାଛ ମରାଯାଉଥିବା ଯୋଗୁଁ ଚିଲିକା, ଋଷିକୁଲ୍ୟା ନଦୀ ଓ ସମୁଦ୍ରକୁ ମାଛ, କଙ୍କଡା, ଚିଙ୍ଗୁଡ଼ି ଆଦି ବିଭିନ୍ନ ଜଳଜୀବଗୁଡିକୁ ଯିବା ଆସିବା ନେଇ ବାଧା ସୃଷ୍ଟି ହେଉଛି। ଅନ୍ୟପଟେ ଛୋଟ ଛୋଟ ମାଛ ଚିଙ୍ଗୁଡ଼ି ଓ କଙ୍କଡ଼ା ଜଳଜୀବଗୁଡିକୁ ମାରି ଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ ଅନେକ ପ୍ରଜାତିର ମାଛ ଲୋପ ପାଇବାକୁ ବସିଲାଣି। ଚିଲିକା ଓ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ଅନେକ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇ ସମ୍ପ୍ରତି ଦାଦନ ଖଟିବାକୁ ବାଧ୍ୟ ହେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରଶାସନ ମତ୍ସ୍ୟଜୀବୀଙ୍କ ସାମୂହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି।