ଛତ୍ରପୁର,୧୮ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାରେ ସମୁଦ୍ର ଓ ଚିଲିକାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ପାଲୁର ସାହେବ କେନାଲ ଦୀର୍ଘଦିନ ହେଲା ପୁନରୁଦ୍ଧାର ହୋଇନି। ଏଥିଯୋଗୁ କେନାଲରେ ଆଉ ଠିକ ଭାବେ ପାଣି ପ୍ରବାହିତ ହେଉ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଖରାଦିନେ ଠିକ ରୂପେ ସମୁଦ୍ରରୁ ଲୁଣି ପାଣି ଆସୁନି। ଯଦ୍ୱାରା ଲୁଣ ଉତ୍ପାଦନ ପ୍ରଭାବିତ ହେଉଥିବା ବେଳେ ବର୍ଷା ଦିନେ ଅଧିକ ବର୍ଷା ହେଲେ ଚାଷଜମିରୁ ନିଷ୍କାସନ ହେଉନି। ହଜାର ହଜାର ମତ୍ସ୍ୟଜୀବୀ ମଧ୍ୟ ପ୍ରଭାବିତ ହେଉଛନ୍ତି । ଅନ୍ୟପଟେ କେତେଜଣ ମାଫିଆ କେନାଲକୁ ଅବରୋଧ କରି ରଖିଥିବା ବେଳେ ବିଷାକ୍ତ ଜଳ ଛାଡି ପ୍ରଦୂଷଣ କରୁଛନ୍ତି। ବଙ୍ଗୋପସାଗର ଏବଂ ଋଷିକୁଲ୍ୟା ମୁହାଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁର ସାହେବ କେନାଲ ପ୍ରାୟ ୧୨ କି.ମି. ପର୍ଯ୍ୟନ୍ତ ଲମ୍ବିରହିଛି। ବ୍ରିଟିଶ ଶାସନ କାଳରେ ଏହି କେନାଲ ଖନନ ହୋଇଥିବାରୁ ସାହେବ କେନାଲ ନାମକରଣ ହୋଇଥିବା କୁହାଯାଏ । ତେବେ ଏହି କେନାଲ ଆଜି ପୋତି ହେବାକୁ ବସିଲାଣି। ଦିନ ଥିଲା ଏହି କେନାଲ ମଷ୍ୟଜୀବୀ ଏବଂ ଲୁଣ ଚାଷୀଙ୍କ ଜୀବନରେଖା ଥିଲା। ଏହି କେନାଲରେ ପ୍ରାୟତଃ ୧୦୦ ପ୍ରକାରର ମାଛ ଦେଖିବାକୁ ମିଳୁଥିଲା। ମତ୍ସ୍ୟଜୀବୀମାନେ ମାଛମାରି ପରିବାର ପ୍ରତିପୋଷଣ କରୁଥିଲେ। ଖାଲି ଏତିକି ନୁହେଁ ୧୦୦୦ ହେକ୍ଟରରୁ ଅଧିକ ଲବଣ ଜମିକୁ ଜଳ ଯୋଗାଣ ମଧ୍ୟ ହେଉଥିଲା। ୪ଟି ପଞ୍ଚାୟତର ୫ ହଜାର ଲବଣ ଚାଷୀ ପ୍ରତ୍ୟେକ ଓ ପରୋକ୍ଷ ଭାବରେ ଉପକୃତ ହେଉଥିଲେ। ସରକାରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ଏହି କେନାଲ ଏବେ ବିପଦରେ ରହିଛି । କେନାଲକୁ ଜୁଆର ସମୟରେ ସମୁଦ୍ରରୁ ପାଣି ଆସିଥାଏ। ଖରାଦିନେ ସେହି ପାଣି ଲୁଣ ଜମିକୁ ନିଆଯାଇଥାଏ। ଫଳରେ ଲୁଣ ଉତ୍ପାଦନ ହୋଇଥାଏ। ଅନ୍ୟପଟେ ଠିକ ଭାବେ ପାଣିଗଲେ ଏହି କେନାଲରୁ ଛୋଟ ମାଛ, ଚିଙ୍ଗୁଡ଼ି, କଙ୍କଡା ମିଳେ। ଯାହାକି ବର୍ତ୍ତମାନ ଆଉ ସେଭଳି ମିଳୁନି। କାରଣ କେନାଲ ଭିତରେ ମାଫିଆମାନେ ବେଆଇନ ଭାବେ ଘେରି ବାନ୍ଧୁଛନ୍ତି । ଏହି କେନାଲରେ ବର୍ଷା ଦିନେ ଅଧିକ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହୋଇଥାଏ। ଏହାର ପୁନରୁଦ୍ଧାର ନ ହେବା ଫଳରେ ସମସ୍ୟା ସୃଷ୍ଟି ହେଉଛି l ସବୁଠୁ ଚିନ୍ତାଜନକ ବିଷୟ ଏହି କେନାଲ ଚର୍ତୁପାର୍ଶ୍ୱରେ ବେଆଇନ ଭାବେ ବେନାମୀ ଚିଙ୍ଗୁଡ଼ି ଚାଷ କରାଯାଇ କେନାଲକୁ ବିଷାକ୍ତ ପାଣି ଛଡ଼ାଯାଉଛି। ଯଦ୍ୱାରା ପାଣି ଦୂଷିତ ହେଉଛି ଏବଂ ଜୈବ ବିବିଧତା ନଷ୍ଟ ହେଉଛି । ୨୦୦୩ରେ ଏହି କେନାଲର କିଛି ଅଞ୍ଚଳ ଖୋଳା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଉ କିଛି ହୋଇନ ଥିବାରୁ କେନାଲ ପୋତି ହେବାକୁ ବସିଲାଣି। ତେଣୁ ଏହାର ପୁନରୁଦ୍ଧାର କରିବାକୁ ମତ୍ସ୍ୟଜୀବୀ ସୁରେନ୍ଦ୍ର ବେହେରା, ମାଗତା ବେହେରା, ଲୁଣ ଚାଷୀ କୃଷ୍ଣ ବେହେରା, ସ୍ଥାନୀୟ ବାସିନ୍ଦା ହରି ବେହେରା ପ୍ରମୁଖ ଦାବି କରିଛନ୍ତି ।