Categories: ଖେଳ

ଭାରତରୁ ପ୍ରତିନିଧିତ୍ୱ କରିବ ସାଇ ଇଣ୍ଟରନ୍ୟାଶନାଲ

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍ସିଆଲ୍‌ ସ୍କୁଲର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ୧୨ ଜଣ ଛାତ୍ର ବାଂଲାଦେଶରେ ହେବାକୁଥିବା ରାଉଣ୍ଡ ସ୍କୋୟାର ଅନ୍ତର୍ଜାତୀୟ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସ୍କୁଲର ଛାତ୍ରମାନଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ମୋଟ ୧୨ ଜଣଙ୍କୁ ମନୋନୀତ କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କ ପାଇଁ ଏପରି ଅନ୍ତର୍ଜାତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଓଡ଼ିଶାରେ ପ୍ରଥମ।
ଏହି ଟୁର୍ନାମେଣ୍ଟରେ ୪ଟି ଦେଶ ଭାରତ, ବାଂଲାଦେଶ, କେନିୟା ଓ ଜାପାନର ଛାତ୍ରମାନେ ଭାଗନେବେ। ପ୍ରତିଯୋଗିତା ୨୭ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହା ବାଂଲାଦେଶର ଚିଟାଗଙ୍ଗ ଗ୍ରାମାର ସ୍କୁଲ୍‌ରେ ଅନୁଷ୍ଠିତ ହେବ। ଏହା ଟୁର୍ନାମେଣ୍ଟ ରାଉଣ୍ଡ ସ୍କୋୟାର ଅନୁବନ୍ଧିତ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ସାଇ ଇଣ୍ଟରନ୍ୟାଶନାଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏହି ଅବସରରେ କହିଥିଲେ, ସ୍କୁଲର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସହିତ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ମାଧ୍ୟମରେ ସାମଗ୍ରିକ ଅଭିବୃଦ୍ଧି ପାଇଁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରମାନେ ନିଜର ପ୍ରତିଭା ସହ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଦରକାର। ଶନିବାର ସ୍କୁଲର କ୍ରିକେଟ୍‌ କୋଚ୍‌ ସୌମେନ୍‌ ଲେଙ୍କାଙ୍କ ନେତୃତ୍ୱରେ ଛାତ୍ରମାନେ ବାଂଲାଦେଶ ଯାତ୍ରା କରିବେ।

Share