ଭୁବନେଶ୍ୱର,୫।୨(ବ୍ୟୁରୋ): ଖଣ୍ଡଗିରି କୁମ୍ଭମେଳା ଅବସରରେ ଚାଲିଥିବା ଯାତ୍ରା ମହାସମର ଧୀରେ ଧୀରେ ଜମୁଛି। ରେକର୍ଡ ଡ଼୍ୟାନ୍ସ ସହ ଖଳନାୟକର ଛାତି ଥରା ସଂଳାପ ରାତିର ନିରବତା ଭାଙ୍ଗୁଛି। ଯାତ୍ରାଶ୍ରୀ ବିଶ୍ୱଦରବାର ବିଦାୟ ନେବା ପରେ ଶନିବାର ଅପେରା ସାଇ ସମ୍ରାଟ ଲଢ଼େଇରେ ସାମିଲ ହୋଇଥିଲା। ‘ଇଏ କେମିତିକା ପ୍ରତାରଣା’ ଶୀର୍ଷକ ନାଟକ ପରିବେଷଣ କରାଯାଇଥିଲା। ବରମୁଣ୍ଡା ନୀଳକଣ୍ଠେଶ୍ୱର କମିଟି ପକ୍ଷରୁ ଅପେରା ସ୍ବର୍ଣ୍ଣମନ୍ଦିରରେ ନାଟକ ପରିବେଷଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ‘ଘୋଡ଼ାହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ମଞ୍ଚସ୍ଥ ହୋଇଥିଲା। ତେବେ ପୂର୍ବରୁ ଆଇଟମ୍ ଡ୍ୟାନ୍ସ କରି ବିବାଦୀୟ ହୋଇପଡ଼ିଥିତ୍ବା ରାନୀଙ୍କ ଅଭିନୟ ଯାଦୁ ମଞ୍ଚରେ ଦେଖିବାକୁ ମିଳିଥିଲା। ସେ ମୁଖ୍ୟ ଚରିତ୍ରରେ ଦର୍ଶକଙ୍କୁ ଭେଟି ଦେଇଥିଲେ। ସେହିପରି ଶିବାନୀ ଗଣନାଟ୍ୟ, ସୂର୍ଯ୍ୟମନ୍ଦିର ଓ ରାଜଧାନୀ ଅପେରା ପ୍ରତିଦିନ ସମାନ ନାଟକ ପରିବେଷଣ କରି ଫେରିଥିବାବେଳେ ୧୦ ତାରିଖ ପର୍ଯ୍ୟନ୍ତ ଅପେରା ରଙ୍ଗ ମହଲରେ ନାଟକ ପରିବେଷଣ କରିବ। ତେବେ ଚତୁର୍ଥ ରାତିରେ ମଧ୍ୟ ସମାନ ନାଟକ ‘ଚାଲିବା ଆଗରୁ ବାଟ ସାରିଲା’ ଦେଖିବାକୁ ମିଳିଥିଲା।
୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଡ. ହରେକୃଷ୍ଣ ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟ ଯାତ୍ରାପ୍ରେମୀଙ୍କ ମନୋରଞ୍ଜନ କରିବ। ସେହିପରି ସନାତନ ମଣ୍ଡପରେ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ଦମଦାର ନାଟକ ପରିଦର୍ଶନ କରିବ। ଅନ୍ୟପଟେ ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ମଞ୍ଚ ଦୁଲୁକାଇବ। ମା’ ମଙ୍ଗଳା ମଣ୍ଡପରେ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବ।