ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ମୁଖ୍ୟଙ୍କୁ ୫ ବର୍ଷ ଜେଲ

କଟକ ଅଫିସ,୨୧ା୧: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍‌ କୁମାର ଦାସଙ୍କୁ କଟକର ସ୍ବତନ୍ତ୍ର କୋର୍ଟ ଗୁରୁବାର ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର୍ସ(ଓପିଆଇଡି) ସ୍ବତନ୍ତ୍ର କୋର୍ଟ ଅଭିଯୁକ୍ତଙ୍କୁ ଆଇପିସି ଦଫା ୪୨୦ରେ ୫ବର୍ଷ ଏବଂ ଓପିଆଇଡି ଆକ୍ଟର ଦଫା ୬ରେ ମଧ୍ୟ ୫ବର୍ଷ ଦଣ୍ଡାଦେଶ ଦେଇଛନ୍ତି। ହେଲେ ଉଭୟ ଦଣ୍ଡାଦେଶ ଏକ ସଙ୍ଗରେ ଚାଲିବ। ଏଥିସହିତ ଅଭିଯୁକ୍ତଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦାଖଲ ନିର୍ଦ୍ଦେଶ ଦେଇଥିବାବେଳେ କମ୍ପାନୀକୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦାୟ କ୍ଷେତ୍ରରେ ସନ୍ଦୀପଙ୍କୁ ୧ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।
ମିଳିଥିବା ସୂଚନା ଅନୁସାରେ ୨୦୧୫ରେ ସନ୍ଦୀପ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିଲେ। ୪ବର୍ଷରେ ଜମାରାଶି ୨ଗୁଣ ହୋଇଯିବାର ଲୋଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା କମ୍ପାନୀ ଉଠାଇଥିଲା। ଏପରି କି ଲୋକଙ୍କ ବିଶ୍ୱାସ ଜନ୍ମାଇବାକୁ ୨ଗୁଣ ମାଚ୍ୟୁରିଟି ରାଶିର ପୋଷ୍ଟ ଡେଟେଡ୍‌ ଚେକ୍‌ ମଧ୍ୟ ଦେଇଥିଲେ। ହେଲେ ମାଚ୍ୟୁରିଟି ପରେ ଜମାକାରୀ ଉକ୍ତ ଚେକ୍‌କୁ ଯେତେବେଳେ ବ୍ୟାଙ୍କରେ ଦାଖଲ କରିଥିଲେ, ତାହା ବାଉନ୍ସ ହୋଇଥିଲା। ପରେ ଅନେକ ଜମାକାରୀ ଠକେଇର ଶିକାର ହୋଇଥିବା ଜାଣି କଟକସ୍ଥିତ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ରସାନନ୍ଦ ସ୍ବାଇଁଙ୍କ ଅଭିଯୋଗକୁ ଆଧାର କରି ପୁରୀଘାଟ ଥାନାରେ ଏକ ମାମଲା (ନଂ ୫୩/୨୦୧୫) ରୁଜୁ କରାଯାଇ ସନ୍ଦୀପଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।

Share