ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ଅପ୍କମିଂ ହରର ଓ କମେଡି ଫିଲ୍ମ ‘ଭୂତ ପୋଲିସ’ ଖୁବ୍ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ସୈଫ ବିଭୁତି ଚରିତ୍ରରେ ନଜର ଆସିବେ। ତେବେ ସୋମବାର ବିଭୁତି ଚରିତ୍ର ଥିବା ସୈଫଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଏଥିରେ ସୈଫ ବ୍ଲାକ୍ କଲରର ଡ୍ରେସ୍ ପିନ୍ଧିଥିବା ବେଳେ ଗଳାରେ ଏକ ମାଳା ପିନ୍ଧିବା ସହ ହାତରେ ଏକ ଅଜବ ବାଡ଼ି ଧରିଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କ ମୁହଁରେ ଏକ ଭୟଙ୍କର ହସ ରହିଥିବା ନଜର ଆସିଛି। ସୈଫଙ୍କ ଏହି ଲୁକ୍ ବହୁ ଭୟଙ୍କର ଦେଖାଯାଉଥିବା ବେଳେ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ସୈଫଙ୍କ ଫାଷ୍ଟ ଲୁକ୍କୁ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାଁ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଏଥିସହ ସେ କ୍ୟାପସନ୍ରେ ଲେଖିଛନ୍ତି, ପାରାନର୍ମାଲଠାରୁ ଭୟ କର ନାହିଁ, ବରଂ ବିଭୁତି ସହ ସୁରକ୍ଷିତ ଅନୁଭବ କର। ଖୁବ୍ଶୀଘ୍ର ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମ ଡିଜନି ହଟ୍ ଷ୍ଟାର ଭିଆଇପି ରିଲିଜ୍ ହେବ। ଫିଲ୍ମର ଘୋଷଣା ପରେ ଟୁଇଟରରେ ଏବେ ସୈଫ ଟ୍ରେଣ୍ଡ କରୁଛନ୍ତି। ପ୍ରଶଂସକ ବହୁ ଉତ୍କଣ୍ଟାର ସହ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ସୈଫଙ୍କ ସହ ୟାମି ଗୌତମ, ଜ୍ୟାକଲିନ୍ ଫର୍ନାଡିଜ୍ ଓ ଅର୍ଜୁନ କପୁର ନଜର ଆସିବେ। ଏହାର ଶୁଟିଂ ହିମାଚଳ ପ୍ରଦେଶ, ମୁମ୍ବାଇ ଓ ରାଜସ୍ଥାନର ଜୈସଲମେରରେ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ପବନ କ୍ରିପାଲାନୀ ତୁଲାଇଛନ୍ତି।