ବୋଲଗଡ଼,୨୪ା୪(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଶୈଳବାଳା ପଣ୍ଡା ଦୀର୍ଘ ଦିନଧରି ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇପାରିଲେ ନାହିଁ। ଏନେଇ ଶୈଳବାଳା ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଅନ୍ୟପଟେ ତାଙ୍କ ସ୍ବାମୀ ଶଙ୍କର ପଣ୍ଡାଙ୍କ ଦୁଇ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ବେଳେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଶୈଳବାଳାଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ସାମାଜିକ କର୍ମୀ ଭାଗୀରଥି ଦାସ ନିବେଦନ କରିଛନ୍ତି।