Categories: ଖେଳ

ସାଇନା ସେମିଫାଇନାଲରେ

ପ୍ୟାରିସ, ୨୭ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାର ଇରିସ ଓ୍ବାଙ୍ଗ୍‌ ବିପକ୍ଷରେ ବିଜୟ ହାସଲ ସହ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ବାଲ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୨୦ ନମ୍ବର ମାନ୍ୟତାପ୍ରାପ୍ତ ସାଇନାଙ୍କର ୨ ବର୍ଷରେ ଏହା ପ୍ରଥମ ସେମିଫାଇନାଲ। ଟୋକିଓ ଗେମ୍ସ ପାଇଁ ର଼୍ୟାଙ୍କିଙ୍ଗ ପଏଣ୍ଟ ସଂଗ୍ରହରେ ବ୍ୟସ୍ତ ଥିବା ସାଇନା ଗତଥର ୨୦୧୯ ଜାନୁୟାରୀରେ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ସେତେବେଳେ ସେ ଇଣ୍ଡୋନେସିଆ ମାଷ୍ଟର୍ସ ୫୦୦ ଟୁର୍ନାମେଣ୍ଟ ଜିତିଥିଲେ। ଭାରତର ଏହି ଚତୁର୍ଥ ସିଡ୍‌ ଖେଳାଳି ଇଞ୍ଜୁରି ପାଇଁ ଗତ ସପ୍ତାହରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ଓହରିଯାଇଥିଲେ। ଶୁକ୍ରବାର କ୍ୱାର୍ଟରଫାଇନାଲରେ ସେ ବିଶ୍ୱର ୩୬ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଓ୍ବାଙ୍ଗ୍‌ଙ୍କୁ ୨୧-୧୯, ୧୭-୨୧, ୨୧-୧୯ରେ ପରାସ୍ତ କରିଛନ୍ତି। ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ବର୍ତ୍ତମାନ ଏହି ସୁପର ୧୦୦ ଇଭେଣ୍ଟରେ ସେମିଫାଇନାଲରେ ଡେନମାର୍କର ଲିନେ ଖ୍ରିଷ୍ଟୋଫରସେନ କିମ୍ବା ନିଜ ଦେଶର ଇରା ଶର୍ମାଙ୍କ ସହ ମୁକାବିଲା କରିବେ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡଲ୍ୟୁଏଫ୍‌) ବର୍ତ୍ତମାନ ଏହି ଟୁର୍ନାମେଣ୍ଟକୁ ଅଲିମ୍ପିକ ଯୋଗ୍ୟତା ଇଭେଣ୍ଟର ମାନ୍ୟତା ପ୍ରଦାନ କରିଛି। ଅନ୍ୟପକ୍ଷରେ ଏଠାରେ ୫ମ ସିଡ୍‌ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ବିଜେତା ଅଶ୍ୱିନ ପୋନ୍ନାପ୍ପା ଓ ଏନ୍‌. ସିକ୍କି ରେଡ୍ଡୀ ମହିଳା ଡବଲ୍ସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ଇଂଲଣ୍ଡର ତଥା ତୃତୀୟ ସିଡ୍‌ ଯୋଡ଼ି ଚ୍ଲୋ ବିର୍ଚ ଓ ଲରେନ୍‌ ସ୍ମିଥ୍‌ଙ୍କୁ ୨୧-୧୪, ୨୧-୧୮ରେ ପରାସ୍ତ କରିଛନ୍ତି। ବିଶ୍ୱର ୨୫ ନମ୍ବର ମାନ୍ୟତାପ୍ରାପ୍ତ ଯୋଡ଼ି ବର୍ତ୍ତମାନ ଥାଇଲାଣ୍ଡର ଜଙ୍ଗ୍‌କୋଲଫାନ୍‌ କିଟିଥରାକୁଲ ଓ ରାଓ୍ବିଣ୍ଡା ପ୍ରାଜଙ୍ଗଜାଇଙ୍କ ସହ ମୁକାବିଲା କରିବେ।

Share